ଭୁବନେଶ୍ବର: ଜୁନ୍ ୮ରେ ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି ସ୍ପର୍ଶ କରିବା କ୍ଷଣି ପାଣିପାଗ ବିଭାଗ ତତ୍ପରତା ପ୍ରକାଶ କରିବା ସହ ଘୋଷଣା କରିଦେଲା। ଆକଳନ କରାଯାଇଥିଲା ଯେ ସପ୍ତାହକ ମଧ୍ୟରେ ସାରା ଓଡ଼ିଶା ଛୁଇଁବ। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ ହୋଇଥିବା ମୌସୁମୀ ପ୍ରବାହ ଜୁନ୍ ଦ୍ବିତୀୟ ସପ୍ତାହରେ ହିଁ ସମ୍ପୂର୍ଣ୍ଣ ଓଡ଼ିଶାରେ ପ୍ରବେଶ କରିବା ନେଇ ପାଣିପାଗ ବିଜ୍ଞାନୀମାନେ ଆଗୁଆ ଆକଳନ କରିଦେଲେ। ଇତିମଧ୍ୟରେ ୧୦ ଦିନ ବିତିଗଲାଣି। ଜୁନ୍ ଦ୍ବିତୀୟ ସପ୍ତାହ ଯାଇ ତୃତୀୟ ସପ୍ତାହ ସରିବାକୁ ବସିଛି। ମାତ୍ର ମୌସୁମୀ ଆଗକୁ ବଢ଼ିପାରୁ ନାହିଁ। ଆଜି ବି ପାଣିପାଗ ବିଭାଗ କହୁଛି ମାଲକାନଗିରିରେ ହିଁ ଅଟକିଛି ମୌସୁମୀ। ଓଡ଼ିଶାର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବାକୁ ଆହୁରି ୩ରୁ ୪ ଦିନ ଲାଗିବ। କେବେ ସୁଦ୍ଧା ସ୍ପର୍ଶ କରିବ ସେନେଇ ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରୁ ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ। ଚାଷୀମାନେ ଧାନ ଧରି ବସିଥିଲେ ମଧ୍ୟ ଜମିକୁ ଯାଇପାରୁ ନାହାନ୍ତି। ବୁଣାବୁଣି ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଦିନ ଗଡ଼ିଯାଉଥିବାରୁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। ମୌସୁମୀ ଆଗମନ ବିଳମ୍ବ ହେଉଥିବା ବେଳେ ନିଅଁଣ୍ଟିଆ ବର୍ଷା ପରିମାଣ ବଢ଼ି ଚାଲିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଏବେ ସୁଦ୍ଧା ସ୍ବାଭାବିକ ବର୍ଷା ହୋଇପାରି ନ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
କେବଳ ସେତିକି ନୁହେଁ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିଲା ଯେ ଜୁନ୍ ୧୭ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ତେବେ ଜୁନ୍ ୧୮ ତାରିଖ ହୋଇଥିଲେ ମଧ୍ୟ ଓଡ଼ିଶାରେ ବର୍ଷା ପରିମାଣ ସେଭଳି ବଢ଼ିପାରି ନାହିଁ। ଗତ ୩୪ ଘଣ୍ଟାର ତଥ୍ୟ ଦେଖିଲେ ହାତଗଣତି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜି ଦିନ ସମୟରେ କଟକରେ ୨୩ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ୧୮.୨, ଢେଙ୍କାନାଳରେ ୧୬.୨, ଖୋର୍ଦ୍ଧାରେ ୩ ଓ କେନ୍ଦ୍ରାପଡ଼ାରେ ୨ ମିମି ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ନୟାଗଡ଼ରେ ୧୪.୨ ମିମି, କୋରାପୁଟରେ ୧.୬, ଭୁବନେଶ୍ବରେ ୦.୧ ମିମି ବର୍ଷା ହୋଇଥିଲା। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେଭଳି ବର୍ଷାର ସମ୍ଭାବନା ନାହିଁ। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଗରମ ରହିବ। ଉପକୂଳ ଓଡ଼ିଶାରେ ଗରମ ଅସ୍ତବ୍ୟସ୍ତ କରିବାକୁ ଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ପ୍ରବଳ ବର୍ଷା ନେଇ ଗୋଟିଏ ପରେ ଗୋଟିଏ ତାରିଖ ଦେଉଥିବା ପାଣିପାଗ କେନ୍ଦ୍ର ଏବେ ୨୧ରୁ ପ୍ରବଳ ବର୍ଷା ହେବା ନେଇ ପୁଣିଥରେ ଆଶା ଦେଖାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମହାରାଷ୍ଟ୍ରର କିଛି ଅଞ୍ଚଳ ସମେତ ଛତିଶଗଡ଼, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି। ତେବେ ୨୦ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର ଜିଲ୍ଲାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ନୂଆପଡ଼ାଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୪୧.୫, ବୌଦ୍ଧରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ପାରଳାଖେମୁଣ୍ଡି ଓ ସୋନପୁରରେ ୪୦.୭, ଝାରସୁଗୁଡ଼ାରେ ୪୦.୬ ଓ ଢେଙ୍କାନାଳରେ ୪୦.୪ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାରେ ପାରଦ ୩୮ରୁ ୪୦ ଡିଗ୍ରି ମଧ୍ୟରେ ରହିଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା।