ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ଟି ଜିଲ୍ଲାକୁ ସ୍ପର୍ଶ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲା ଛୁଇଁଥିବା ମୌସୁମୀ ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଦେବଗଡ଼ ଜିଲ୍ଲାକୁ ସ୍ପର୍ଶ କରିଛି। ମୌସୁମୀ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଲାଗିରହିଛି। ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ବରର ଅଧିକାଂଶ ଅଞ୍ଚଳ ଏବଂ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ମୌସୁମୀ ପହଞ୍ଚିଛି। ଏହା ଅଧିକ ସକ୍ରିୟ ହେବା ସହ ଶନିବାର ସୁଦ୍ଧା ସାରା ଓଡ଼ିଶାକୁ ସ୍ପର୍ଶ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆକଳନ ଅନୁଯାୟୀ ଶନିବାର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ହୋଇପାରେ। ଏହି ସମୟରେ ରାୟଗଡ଼ା, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୩ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଥିବାରୁ ଦିନର ସର୍ବୋଚ୍ଚ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇଛି। ଆଜି ଦିନରେ ସବୁଠି ତାପମାତ୍ରା ୩୯ ଡିଗ୍ରି ତଳେ ରହିଥିଲା। ନବରଙ୍ଗପୁର(୨୮.୫), ଫୁଲବାଣୀ ଓ ଦାରିଙ୍ଗବାଡ଼ି(୨୯) ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସାଢ଼େ ୮ଟା ମଧ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଛି।
ଅନୁଗୁଳର ତଳଚେରରେ ୧୦୮ ମିମି ବର୍ଷା ହୋଇଥିବା ବେଳେ ବଅଁରପାଳରେ ୧୦୩.୮, ମୟୂରଭଞ୍ଜ ଜିଲ୍ଲା ବେତନଟିରେ ୯୭, ବାଲିମୁଣ୍ଡଳିରେ ୬୫.୬, ଜିବି ନଗରରେ ୫୭, ଢେଙ୍କାନାଳ ଜିଲ୍ଲାର ଭୂବନରେ ୯୪, ପର୍ଜଙ୍ଗରେ ୯୨, କାମାକ୍ଷାନଗରରେ ୫୮.୩, ଅଲତୁମା ୫୫, କେନ୍ଦୁଝର ଜିଲ୍ଲାର ତେଲକୋଇରେ ୮୦.୬, ନବରଙ୍ଗପୁରର ଝରିଗାଁରେ ୯୫.୪, ନୂଆପଡ଼ାର କୋମନାରେ ୫୫ ମିମି ବର୍ଷା ହୋଇଛି। ଆଜି ଦିନ ସମୟରେ ଖୋର୍ଦ୍ଧାରେ ୬୫ ମିମି, ରାଉରକେଲାରେ ୫୬, କେନ୍ଦୁଝରରେ ୪୦, ଦାରିଙ୍ଗବାଡ଼ିରେ ୩୮, ତାଳଚେରରେ ୩୫, ବୌଦ୍ଧରେ ୨୩ ମିମି ବର୍ଷା ହୋଇଛି।