ଶେଷରେ କେରଳ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ଦକ୍ଷିଣ ଭାରତକୁ ବ୍ୟାପିବ

ଭୁବନେଶ୍ବର : ପ୍ରତୀକ୍ଷାର ଅବସାନ ଘଟାଇ ୭ଦିନ ବିଳମ୍ବରେ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳର ଅଧିକାଂଶ ସ୍ଥାନକୁ ମୌସୁମୀ ଆଜି ସ୍ପର୍ଶ କରିଥିବା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଏଥିସହ ଦକ୍ଷିଣ ତାମିଲନାଡ଼ୁର କିଛି ଅଞ୍ଚଳରେ ମଧ୍ୟ ସକ୍ରିୟ ହେବା ସହ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଓ ପରେ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ।

ଓଡ଼ିଶାରେ ସାଧାରଣତଃ ମୌସୁମୀ ଜୁନ୍‌ ୧୨ ତାରିଖ ପାଖାପାଖି ପ୍ରବେଶ କରିଥାଏ। ୭ ଦିନ ବିଳମ୍ବରେ କେରଳରେ ପ୍ରବେଶ ହୋଇଥିବା ବେଳେ ୧୯ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପଟେ ଭାରତୀୟ ପ‌ାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଗତବର୍ଷ କେରଳକୁ ମୌସୁମୀ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ସ୍ପର୍ଶ କରିଥିଲା। ଅର୍ଥାତ ୨୦୨୨ ମସିହାରେ ମେ’ ୨୯ ତାରିଖରେ କେରଳ ଛୁଇଁଥିଲା। ୨୦୨୧ ମସିହାରେ ୩ ଜୁନ୍‌ରେ, ୨୦୨୦ ମସିହାରେ ୧ ଜୁନ୍‌, ୨୦୧୯ ମସିହାରେ ୮ ଜୁନ୍‌ ଓ ୨୦୧୮ ମସିହାରେ ୨୯ ମେ’ରେ କେରଳ ଛୁଇଁଥିଲା।

en.gaonconnection.com

କେରଳ ଓ ତାମିଲନାଡୁ ସମେତ ଆଜି ଦକ୍ଷିଣ ଆରବ ସାଗରର ବାକି ରହିଯାଇଥିବା ଅଞ୍ଚଳ, କେନ୍ଦ୍ରୀୟ ଆରବସାଗରର କିଛି କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ଲକ୍ଷାଦ୍ବୀପ, କୋମୋରିନ୍‌ ଅଞ୍ଚଳର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗରର କେତେକ ଅଂଶରେ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମୌସୁମୀ ବାୟୁର ଅଗ୍ରସର ପା‌ଇଁ ଏବେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, କେରଳର ଅବଶିଷ୍ଟ ଅଞ୍ଚଳ, ତାମିଲନାଡୁର ଆଉ କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ସ୍ଥାନ ଓ ବଙ୍ଗୋପସାଗରର ଅନେକ ଅଂଶ ସହ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସକ୍ରିୟ ହେବ।

ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ‌ହୋଇଛି। ‘ବିପର୍ଯ୍ୟୟ’ ଏବେ ଗୋଆଠାରୁ ୮୬୦ କିମି ଦୂର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହା ୧୩ ତାରିଖ ବେଳକୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡଫଲ କରିପାରେ। ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି। ବାତ୍ୟା ଭାରତର କୌଣସି ରାଜ୍ୟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ନାହିଁ। ହେଲେ ଏହାର ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ସଜାଗ ରହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଖରା, ତାତି ଓ ଗୁଳୁଗୁଳି ଅତ୍ୟଧିକ ରହିଥିବା ବେଳେ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଅପରାହ୍ନ ଆଡ଼କୁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀଜନିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର