ଭୁବନେଶ୍ବର: କେରଳ ଉପକୂଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ତାରିଖ(ଜୁନ୍‌ ୧)ର ଦୁଇ ଦିନ ଆଗରୁ ମୌସୁମୀ ଆଜି ଭାରତ ମୁଖ୍ୟ ଭୂଖଣ୍ଡ ମଧ୍ୟକୁ କେରଳ ଉପକୂଳଠାରେ ପ୍ରବେଶ କରିଛି। ଏଥିସହ ଉତ୍ତର ପୂର୍ବ ଭାରତରେ ମୌସୁମୀ ସକ୍ରିୟ ହେବା ନେଇ ପାଗ ଅନୁକୂଳ ରହିଛି। ଗତ କିଛି ଦିନ ହେବ କେରଳରେ ବର୍ଷା ଲାଗିରହିଥିବାରୁ ଚଳିତ ମେ’ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ଦେଶର ଅଧିକାଂଶ ପ୍ରାନ୍ତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରବେଶ କିଛିଟା ଆଶ୍ବସ୍ତି ଦେଇଛି। ତେବେ ମୌସୁମୀର ସ୍ବାଭାବିକ ଗତି ନେଇ ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗଅନୁକୂଳ ନ ହୁଏ ତେବେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମୌସୁମୀ ପହଞ୍ଚିବା ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି। ଏବେ ମୌସୁମୀର ଯେଉଁଭଳି ସ୍ଥିତି ରହିଛି ଜୁନ୍‌ ୧୦ରୁ ୧୧ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ। ଜୁନ୍‌ ପ୍ରଥମ ସପ୍ତାହ ପରେ‌ ମୌସୁମୀ ଠିକ୍‌ ଭାବେ ଅଗ୍ରଗତି ନ କରିଲେ ଓଡ଼ିଶାରେ ପହଞ୍ଚିବା ବିଳମ୍ବିତ ହେବ।
Advertisment
ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଦ୍ବାରା ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସମ୍ଭାବନା ନାହିଁ। ତେଣୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଦେଶର ଉତ୍ତର ପଶ୍ଚିମ ଭାଗରୁ ଉତ୍ତପ୍ତ ବାୟୁ ପ୍ରବାହ ଆହୁରି ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ମିଳୁଛି। ମୌସୁମୀ ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମୌସୁମୀ କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ତଥା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ଛୁଇଁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସୃଷ୍ଟି ହେବ। ତେଣୁ ଦୁଇ ତିନି ଦିନ ମଧ୍ୟରେ କାଳବୈଶାଖୀ ଯୋଗୁଁ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଗତ ୧୧ ବର୍ଷର ତଥ୍ୟ ଦେଖ‌ିଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୩ଥର ସ୍ବାଭାବିକ ତାରିଖ ପୂର୍ବରୁ କେରଳ ଛୁଇଁଛି। ୨୦୧୭ରେ ମେ’ ୩୦ରେ ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୧୮ ଓ ୨୦୨୨ରେ ମେ’ ୨୯ରେ ମୌସୁମୀ କେରଳ ଛୁଇଁଥିଲା। ଏଥର ମେ’ ୩୧ରେ ମୌସୁମୀ କେରଳ ଛୁଇଁବା ନେଇ ଚଳିତ ମାସ ୧୫ ତାରିଖରେ ଆଇଏମ୍‌ଡି ଆକଳନ କରିଥିଲା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳରେ ପହଞ୍ଚିଛି। ବାତ୍ୟା ପ୍ରଭାବ ଯୋଗୁଁ ମୌସୁମୀ ଆଗମନ ଆଗୁଆ ହୋଇଥିବା ନେଇ ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
କେଉଁ ବର୍ଷ କେବେ କେରଳ ଛୁଇଁଥିଲା
ବର୍ଷ ତାରିଖ
୨୦୨୩ ଜୁନ୍‌ ୮
୨୦୨୨ ମେ’ ୨୯
୨୦୨୧ ଜୁନ୍‌ ୩
୨୦୨୦ ଜୁନ୍‌ ୧
୨୦୧୯ ଜୁନ୍‌ ୮
୨୦୧୮ ମେ’ ୨୯
୨୦୧୭ ମେ’ ୩୦
୨୦୧୬ ଜୁନ୍‌ ୮
୨୦୧୫ ଜୁନ୍‌ ୫
୨୦୧୪ ଜୁନ୍‌ ୬
୨୦୧୩ ଜୁନ୍‌ ୧