ସାରା ରାଜ୍ୟକୁ ଛୁଇଁଲା ମୌସୁମୀ: ଆଉ ୫ ଦିନ ବର୍ଷିବ
ଫୁଲବାଣୀରେ ସର୍ବାଧିକ ୫୧.୪ମିମି ବର୍ଷା, ୨୧ ଜିଲ୍ଲାରେ ୫୯% କମ୍ ବର୍ଷା
ଭୁବନେଶ୍ବର: ଲୁଚକାଳି ଖେଳୁଥିବା ମୌସୁମୀ ଆଜି ସାରା ଓଡ଼ିଶାକୁ ଛୁଇଁଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୫ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଜୁନ ୧ରୁ ଅଦ୍ୟାବଧି ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୩୯% କମ୍। ୨୧ ଜିଲ୍ଲାରେ ୫୯% କମ୍ ବର୍ଷା ହୋଇଛି। ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଜଗତସିଂହପୁର ଓ ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ ୮ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସାରା ରାଜ୍ୟରେ ସକ୍ରିୟ ହୋଇଥିଲା। ଏହାର ପ୍ରଭାବରେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଫୁଲବାଣୀରେ ସର୍ବାଧିକ ୫୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନାଗିରିରେ ୪୮.୨, ନବରଙ୍ଗପୁରରେ ୩୦, ଖୋର୍ଦ୍ଧାରେ ୨୫, ହୀରାକୁଦରେ ୧୪.୮ ମିମି ଓ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୧୫.୨, ରାୟଗଡ଼ାରେ ୧୨.୬, ହୀରାକୁଦରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨ ମିମି ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟ୍ବିନ୍ସିଟିରେ ମେଘୁଆ ପାଗ ସହ ବର୍ଷା ହେବା ନେଇ କେନ୍ଦ୍ର ପୂର୍ବାନୁମାନ କରିଛି।
୨୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ୩ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ହେବା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ଝାରସୁଗୁଡ଼ା, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବୁଧବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଶେଷ କରି ବଜ୍ରପାତ ପାଇଁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।