କର୍ଣ୍ଣାଟକ ଛୁଇଁଲା ମୌସୁମୀ, ୧୦ରେ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ୮ ତାରିଖରେ ସୃଷ୍ଟି  ହେବାକୁ ଥିବା ଲଘୁଚାପ ଯୋଗୁଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏବେ  କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି  ହୋଇଛି  ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଶନିବାରସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଆଗକୁ ବଢି ଦକ୍ଷିଣ ଓ ଅନ୍ତରୀଣ କର୍ଣାଟକ, ପୁଡୁଚେରୀ, କାରାଇକେନାଲ, ତାମିଲନାଡ଼ୁର କିଛି ଅଂଶ, କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପରବର୍ତ୍ତି ଦୁଇଦିନରେ ଏହା ଆନ୍ଧ୍ର ପ୍ରଦେଶ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆଗାମୀ ୨-୩ ଦିନ ରେ ଏହା ସଂପୂର୍ଣ୍ଣ କର୍ଣ୍ଣାଟକ, ସଂପୂର୍ଣ୍ଣ ତାମିଲନାଡୁ, ଦକ୍ଷିଣ ଓ ଉପକୂଳ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ ଏହିପରି ଭାବେ ଅଗ୍ରଗତି ଜାରି ରଖିଲେ ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଛି । ୮ ତାରିଖ ବେଳକୁ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପାଇଁ ସ୍ଥିତି ଅନୁକୂଳ ରହିଛି । ଏହାର ପ୍ରଭାବରେ ୧୦ରୁ ଓଡ଼ିଶାରେ ବର୍ଷା ହେବ । ଏହା ଓଡ଼ିଶାକୁ ମୌସୁମୀକୁ ଟାଣିଆଣିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର