ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି। ଚଳିତ ବର୍ଷ ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି କେରଳରେ ପ୍ରବେଶ କରିଛି। ୨୦୦୧ ଓ ୨୦୦୯ ମସିହାରେ ମେ’ ୨୩ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା।୧୯୯୦ ମସିହାରେ ମେ ମାସ ୧୯ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥିଲା। ୨୦୦୦ରୁ ୨୦୨୫ ମଧ୍ୟରେ ୧୪ ଥର ମେ’ ମାସରେ ଓ ୧୨ ଥର ଜୁନ୍ ମାସରେ ମୌସୁମୀ କେରଳ ଛୁଇଁଥିଲା। ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଇତିମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବାଦଲ ସମୂହର ଗତି ପଶ୍ଚିମ/ଉତ୍ତରପଶ୍ଚିମ ନୁହେଁ, ବରଂ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୩.୧ କିମି ଉଚ୍ଚରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି। ରବିବାର ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଜଗତସିଂପୁର, କେନ୍ଦ୍ରାପଡ଼ାକନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଅରେଞ୍ଜ ଚେତାବନୀ ଜାରି ହୋଇଛି। ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ଆଶଙ୍କା ରହିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏଥିସହ ଆସନ୍ତା ୫ଦିନ ଯାଏଁ ବର୍ଷା ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଉଛି। 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି)ର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ତ୍ୱରାନ୍ୱିତ କରିପାରେ। ଏହି ଲଘୁଚାପ ମେ ୨୬ କିମ୍ବା ୨୭ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି। ଶ୍ରୀ ସାହୁ ଆହୁରି କହିଛନ୍ତି, ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିପାରେ ଏବଂ ଲଘୁଚାପ ଯୋଗୁ ମେ’ ୨୭ ଅପରାହ୍ଣରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହି ବୃଷ୍ଟିପାତ ମେ’ ୩୦ ରାତି ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଅଛି। ମାତ୍ର ମେ ୨୮ ଓ ୨୯ ତାରିଖରେ ଓଡ଼ିଶାର ଉପକୂଳ ଅଞ୍ଚଳ ଓ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ବର୍ଷାର ତୀବ୍ରତା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହୋଇପାରେ। ଫଳରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମେ ୨୮ କିମ୍ୱା ୨୯ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ହେଉଥିବା ବର୍ଷାକୁ ପ୍ରାକ୍‌-ମୌସୁମୀ ବର୍ଷା ଭାବେ ଅଭିହିତ କରାଯାଇପାରେ।