ଭୁବନେଶ୍ବର: ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଯାହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହିତ ଦାରିଙ୍ଗିବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରଗଡ଼ରେ ୮.୭, ଫୁଲବାଣୀରେ ୭.୮, କୋରାପୁଟରେ ୭.୬, ଚାନ୍ଦବାଲିରେ ୪.୮, ଯାଜପୁରରେ ୪, ବାଲେଶ୍ବରରେ ୨.୨ ଓ ଅନୁଗୁଳ ଓ ଭଦ୍ରକରେ ୧ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ ଏହି ସବୁ ଜିଲ୍ଲା ଓ ସହର ସହ ଅନ୍ୟ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୩୦ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା। ଠିକ୍‌ ୮ ଦିନ ପରେ ଏହା ଓଡ଼ିଶା ଛୁଇଁଛି। ସାଧାରଣତଃ ଜୁନ୍‌ ୧୦ ତାରିଖ ପରେ ‌ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ସ୍ୱାଭାବିକ ସମୟର ୨ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରେ ପହଞ୍ଚିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସାରା ରାଜ୍ୟରେ ଲଗାତାର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା।

Advertisment

ବର୍ଷା ହେବା ପରେ ଏହି ସବୁ ଅଞ୍ଚଳରେ ଟିକିଏ ଆଶ୍ବସ୍ତି ମିଳିଛି। ମୌସୁମୀ ପ୍ରଭାବରେ ଏବେ କ୍ରମଶଃ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ଆଉ ଦୁଇ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ୫ଟି ସହରରେ ୪୦ ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁର ଓ ବୌଦ୍ଧରେ ତାପମାତ୍ରା ୪୦.୫ଡିଗ୍ରି ରହିଥିବା ବେଳେ ନୂଆପଡ଼ା ଓ ଝାରସୁଗୁଡ଼ାରେ ୪.୪ ଡିଗ୍ରି ଓ ନବରଙ୍ଗପୁରରେ ୪୦.୨ଡିଗ୍ରି ରହିଥିଲା। ସେହିଭଳି ଭୁବନେଶ୍ବରରେ ୩୮.୬ ଓ କଟକରେ ୩୮.୨ଡିଗ୍ରି ରେକର୍ଡ କରାଯାଇଛି। ଆପେକ୍ଷିକ ଆର୍ଦ୍ରତା ଯୋଗୁ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି।