ଆରମ୍ଭରୁ ଲୁଚକାଳି ଖେଳିଲାଣି ମୌସୁମୀ

ଭୁବନେଶ୍ବର : ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଏଁ। ହେଲେ ଏଥର ଚତୁର୍ଥ ସପ୍ତାରେ (ଜୁନ୍‌ ୨୧ରେ) ଓଡ଼ିଶା ଛୁଇଁଲା। ପାଣିପାଗ ବିଭାଗ କହିଥିଲା ମୌସୁମୀ ଓଡ଼ିଶା ଛୁଇଁଲେ ତିନି ଦିନ ଭଲ ବର୍ଷା ହେବ। ହେଲେ ଦିନଟିଏ ବର୍ଷା ପରେ ଅଧା ଓଡ଼ିଶାରୁ ବର୍ଷା ଗାଏବ। ରବିବାର ସକାଳ ସୁଦ୍ଧା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ବାକି ଅଞ୍ଚଳରେ ବର୍ଷା ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ‌‌େମୗସୁମୀ ଓଡ଼ିଶା ଛୁଇଁବା ପରଠାରୁ ହିଁ ଲୁଚକାଳି ଖେଳିବା ଆରମ୍ଭ କରିଦେଲାଣି। ଏପଟେ ପାଣିପାଗ ବିଭାଗ କହୁଛି ଦୀର୍ଘ ଦିନ ହେଲା ବର୍ଷା ନହେଲେ ଆମେ ମୌସୁମୀ ବ୍ରେକ୍ ଦେଲା ବୋଲି କହିଥାଉ। କିନ୍ତୁ ଆମେ ତିନିଦିନ କହିଥିଲୁ, ଦିନଟିଏ ବର୍ଷା ହୋଇଛି। ରବିବାର ବି କିଛି ସ୍ଥାନରେ ବର୍ଷା ହେବ। ଏହାପରେ ଦୁଇଦିନ ବର୍ଷା ନାହିଁ। କିନ୍ତୁ ୨୫ତାରିଖରୁ ପୁଣି ବର୍ଷା ହେବ। ତେଣୁ ଏବେ ମୌସୁମୀ ବର୍ଷା ହେବନି ବୋଲି କହିବା ଠିକ୍ ହେବନି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଏବେ ଉପକୂଳ ଓ ଉତ୍ତର ଓଡ଼ିଶା ଆକାଶ ମେଘାଛନ୍ନ ‌ରହିବ। ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭଲ ବର୍ଷା ହେବ। ରବିବାର ସକାଳ ସୁଦ୍ଧା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ବୌଦ୍ଧର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ଏହାପରେ ଦୁଇ ଦିନ ବର୍ଷା ନାହିଁ। ୨୫ତାରିଖ ମଧ୍ୟାହ୍ନ ପରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ। ୨୬ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜି ସଂଧ୍ୟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ତାଳଚେରରେ ସର୍ବାଧିକ ୨୦ମିମି, ପାରାଦୀପରେ ୧୨ମିମି, ମାଲକାନଗିରିରେ ୫ମିମି, କୋରାପୁଟରେ ୭.୪ମିମି, ଝାରସୁଗୁଡ଼ାରେ ୧୨.୨ମିମି, ଅନୁଗୁଳରେ ୭.୬ମିମି, ଚାନ୍ଦବାଲିରେ ୧.୫ମିମି, ବାଲେଶ୍ବର ଓ ପୁରୀରେ ୦.୮ମିମି, କେନ୍ଦୁଝରରେ ୩.୩ମିମି, ଭୁବନେଶ୍ବରରେ ୧.୪ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର