ଭୁବନେଶ୍ବର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ରାଜ୍ୟ ଉପରେ ବଙ୍ଗୋପସାଗରୀୟ ଲଘୁଚାପ କିମ୍ବା ମୌସୁମୀ ଟ୍ରଫ୍ ଠିକ୍ ସ୍ଥାନରେ ସ୍ଥାନିତ ହେଲେ ଭଲ ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ମୌସୁମୀ ଟ୍ରଫ୍ ଉତ୍ତରାଭିମୁଖୀ ହୋଇଛି। ଏହା ଦ୍ବାରା ହିମାଳୟ ଅଞ୍ଚଳରେ ଭାରୀ ବର୍ଷା ହେଉଛି। ଏହାସହ ବଙ୍ଗୋପସାଗରରେ ଆସନ୍ତା ୯ ଦିନ ପର୍ଯ୍ୟନ୍ତ ଲଘୁଚାପର ସମ୍ଭାବନା ଦେଖାଯାଉନାହିଁ। ଫଳରେ ଆସନ୍ତା ୯ ଦିନ ପର୍ଯ୍ୟନ୍ତ ରାଜ୍ୟରେ କେବଳ ପରିଚଳନାଜନିତ ସ୍ବଳ୍ପ ବର୍ଷା ହୋଇପାରେ।
ବିସ୍ତୃତ ଭାରି ବର୍ଷା ହେବାର ସମ୍ଭାବନା କମ୍ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଆସନ୍ତାକାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଉପକୂଳ ସହ ସମଗ୍ର ଓଡ଼ିଶାରେ ଅଳ୍ପ ବହୁତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।