ଭୁବନେଶ୍ବର: ୧୯୮୧ ମସିହା ପରେ ୨୦୧୨ରେ ପ୍ରଥମଥର ଲାଗି ଜୁନ୍ ମାସରେ ବଙ୍ଗୋପସାଗରରେ ଆଦୌ ଲଘୁଚାପ ହୋଇନଥିଲା। ଦଶବର୍ଷ ପରେ ଏବର୍ଷ ଜୁନ୍ରେ ଓଡ଼ିଶା ଉପକୂଳରେ ଆଦୌ ଲଘୁଚାପ ସୃଷ୍ଟି ହେଲା ନାହିଁ। ଅର୍ଥାତ୍ ୪୨ବର୍ଷ ପରେ ଦ୍ବିତୀୟ ଥର ଏମିତି ପ୍ରକ୍ରିୟା ଘଟିଛି। ଚଳିତବର୍ଷ ଜୁଲାଇ ମାସର ପ୍ରଥମ ତିନି ସପ୍ତାହ ମଧ୍ୟରେ ଓଡ଼ିଶା ଦୁଇ ଦୁଇଟି ଲଘୁଚାପ ହୋଇଛି। କିନ୍ତୁ ଏହି ଲଘୁଚାପ ସହିତ ଦେଖାଦେଇଥିବା ବିଲକ୍ଷଣ ପାଣିପାଗ ବିଜ୍ଞାନୀ, ପରିବେଶବିତ୍ଙ୍କୁ ଆଚମ୍ବିତ କରିଛି। ତାହା ହେଲା, ଉଭୟ ଲଘୁଚାପ ବଙ୍ଗୋପସାଗରର ଗଭୀର ଜଳରାଶିରେ ନୁହେଁ, ବରଂ ସ୍ଥଳଭାଗରେ ହିଁ ସୃଷ୍ଟି ହୋଇଛି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗୋଟିଏ ଲଘୁଚାପ କ୍ଷେତ୍ର ୧୦ ଦିନ ଯାଏଁ ଓଡ଼ିଶାରେ ପ୍ରଭାବ ପକାଇଲା। ପାଣିପାଗରେ ଏଭଳି କିଛି ବଡ଼ ପରିବର୍ତ୍ତନ କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା, ଆଗକୁ ଏହାର କି ପ୍ରଭାବ ପଡ଼ିବ ତାହା ଏବେ ବଡ଼ଧରଣର ଗବେଷଣାର ଅପେକ୍ଷା କରୁଛି। ତେବେ ଏହା ମଧ୍ୟରେ ଗୋଟିଏ ବଡ଼ ଚିତ୍ର ସାମ୍ନାକୁ ଆସିଛି। ତାହା ହେଲା ଦେଶରେ ଏବେ ଲଘୁଚାପର ସଂଖ୍ୟା ବଢ଼ୁଥିଲେ ହେଁ, ତାହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାଲାଗି ବଳ ପାଉନାହିଁ। ଅତି ସରଳ ଭାବରେ କହିଲେ, ଲଘୁଚାପର ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଅବପାତର ସଂଖ୍ୟା କମିବାରେ ଲାଗିଛି। ଯେହେତୁ ଅଧିକାଂଶ ବଙ୍ଗୋପସାଗରରେ ସଂଗଠିତ ହୁଏ ଏବଂ ଓଡ଼ିଶା ପ୍ରବେଶ ପଥରେ ରହୁଛି, ରାଜ୍ୟ ଏହାର ପ୍ରଭାବରୁ ମୁକ୍ତ ହେବ କେମିତି? ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ଏହି ତଥ୍ୟ ମୁଣ୍ଡ ଘୂରାଇ ଦେବାଭଳି। ଯଦିଓ ଓଡ଼ିଶାରେ ହାରାହାରି ବର୍ଷାର ପରିମାଣ ଉପରେ ଏହାର ବିଶେଷ ପ୍ରଭାବ ନାହିଁ, ହେଲେ କେଉଁଠି ସ୍ବଳ୍ପ ଆଉ କେଉଁଠି ଭାରି ବର୍ଷା ହେଉଛି ।
ଏହି ପରିପ୍ରେକ୍ଷୀରେ ଏବର୍ଷର ମୌସୁମୀ ଚିତ୍ରକୁ ପାଣିପାଗ ବିଜ୍ଞାନୀ ଆକଳନ କରି କହିଛନ୍ତି ଯେ ଗତ ଜୁଲାଇ ୭ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର-ଆନ୍ଧ୍ର ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ସ୍ଥଳଭାଗରେ ଗୋଟିଏ ଲଘୁଚାପ ସୃଷ୍ଟି ହେଲା। ଏହା ଆହୁରି ଘନୀଭୂତ ହୋଇ ୧୨ ତାରିଖ ବେଳକୁ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା। ମାତ୍ର ଦୁଇ ଦିନ ପରେ ଏହା ଦୁର୍ବଳ ହୋଇ ପୁଣି ଲଘୁଚାପରେ ରୂପାନ୍ତରିତ ହୋଇଥିଲେ ହେଁ ୧୮ ତାରିଖ ଯାଏ ରାଜ୍ୟ ଉପରେ ବଡ଼ଧରଣର ପ୍ରଭାବ ରଖିବାରେ ସମର୍ଥ ହେଲା। ହିସାବ କରି ଦେଖାଯାଉଛି ଯେ ୯ରୁ ୧୮ ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି ୮୬% ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକ ଚିତ୍ର ହେଲା, ଏହି ସମୟ ମଧ୍ୟରେ ରାଜ୍ୟରେ ହାରାହାରି ୧୦୮.୩ ମିମି ବର୍ଷା ରେକର୍ଡ ହୋଇଥାଏ। କିନ୍ତୁ ଲଘୁଚାପ ଜନିତ ବର୍ଷା କାରଣରୁ ମାତ୍ର ୧୦ ଦିନ ମଧ୍ୟରେ ରାଜ୍ୟରେ ୨୦୧.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜୁଲାଇ ମାସର ୩୧ ଦିନ ମଧ୍ୟରେ ହେବାକୁ ଥିବା ହାରାହାରି ୩୪୪.୬ ମିମି ବର୍ଷାର ୫୮.୫%। ଅତି ସରଳ ଭାବେ କହିଲେ, ଏଇ ଗୋଟିଏ ଲଘୁଚାପ ଜୁଲାଇ ମାସରେ ହେବାକୁ ଥିବା ମୋଟ ବର୍ଷାର ଅଧାରୁ ଅଧିକ ଭରଣା କରିଦେଇଛି।
ପାଣିପାଗ ଚିତ୍ରକୁ ଅଧିକ ବିଶ୍ଳେଷଣ କଲେ ଆହୁରି ଦେଖାଯାଉଛି ଯେ ୯ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା (୨୦% ରୁ ୫୯%) ହୋଇଛି। ସେସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ(୪୪%), ବରଗଡ (୫୯%), ଭଦ୍ରକ (୪୭%), ବଲାଙ୍ଗୀର (୫୮%), ଦେବଗଡ(୫୮%), ଝାରସୁଗୁଡା (୪୨%), କଳାହାଣ୍ଡି(୪୮%), କେନ୍ଦ୍ରାପଡ଼ା (୫୭%), ସମ୍ବଲପୁର (୨୪%)। ସେହିଭଳି ୧୯ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା (୬୦% କିମ୍ୱା ଅଧିକ) ରେକର୍ଡ ହୋଇଛି। ସେସବୁ ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ୱର (୭୮%), ବୌଦ୍ଧ (୧୧୧%), କଟକ (୧୦୦%), ଢେଙ୍କାନାଳ (୧୫୩%), ଗଜପତି (୧୯୦%), ଗଞ୍ଜାମ (୮୬%), ଜଗତସିଂହପୁର (୧୦୩%), ଯାଜପୁର (୧୫୯%), କେନ୍ଦୁଝର (୧୩୫%), ଖୋର୍ଦ୍ଧା (୧୩୧%), କୋରାପୁଟ (୧୦୪%), ମାଲକାନଗିରି (୧୪୩%), ମୟୂରଭଞ୍ଜ (୮୩%), ନୂଆପଡା (୧୧୭%), ନବରଙ୍ଗପୁର (୧୩୬%), ନୟାଗଡ (୧୦୬%), ପୁରୀ (୧୧୮%), ରାୟଗଡା (୮୧%), ସୋନପୁର (୭୩)। କେବଳ ସୁନ୍ଦରଗଡରେ ସ୍ୱାଭାବିକ (୧୭% କମ୍) ବର୍ଷା ରେକର୍ଡ କରାଯାଇଛି। ମୋଟାମୋଟି ଭାବେ ଏହି ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୩୩୪.୮ମିମି ବର୍ଷା ରେକର୍ଡ କରାଯାଇଛି; ଯାହାକି ଜିଲ୍ଲାର ଜୁଲାଇ ମାସର ସ୍ୱାଭାବିକ ବର୍ଷା ୩୫୧.୬ ମିମିର ୯୫.୨%। ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବନିମ୍ନ ୧୦୫.୨ ମିମି ବର୍ଷା ରେକର୍ଡ କରାଯାଇଛି।
ଓଡ଼ିଶାର ପାଣିପାଗରେ ବି ପରିବର୍ତ୍ତନ ହେଉଛି
ଜୁନ୍ରେ ଆଦୌ ଲଘୁଚାପ ହେଲାନାହିଁ
ଜୁଲାଇେର ସ୍ଥଳଭାଗରେ ଦୁଇ ଲଘୁଚାପ
ଗୋଟିଏ ଲଘୁଚାପ ଦେଲା ୫୦%ରୁ ଅଧିକ ବର୍ଷା
ଜୁନ୍ ପହିଲାରୁ ଜୁଲାଇ ୧୯ ତାରିଖ ସୁଦ୍ଧା ପୂରା ଓଡ଼ିଶାର ପାଣିପାଗ ଚିତ୍ର ବୟାନ କରୁଛି ଯେ କେବଳ ସୁନ୍ଦରଗଡ ଜିଲ୍ଲାରେ ହାରାହାରି ୩୫% ବର୍ଷା ନିଅଣ୍ଟିଆ ରହିଛି। ପ୍ରବଳ ଗ୍ରୀଷ୍ମ ପରେ ବୌଦ୍ଧ ଜିଲ୍ଲାରେ ଏଥର ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଯାଜପୁର, କନ୍ଧମାଳ, ଗଜପତି, ନୂଆପଡ଼ା ଓ ମାଲକାନଗିରିରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟ ସବୁ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ବୋଲି କୁହାଯାଉଛି। ପାଣିପାଗର ଏଭଳି ପରିବର୍ତ୍ତନ ଚିନ୍ତା ବଢ଼ାଇଲାଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କର କହିବା କଥା ହେଉଛି, ପାଣିପାଗର ଏଭଳି ବିଚିତ୍ର ବ୍ୟବହାର ଆସନ୍ତା ଦିନର ଆକଳନ ପାଇଁ ଏକ ବଡ ଆହ୍ବାନ ବୋଲି କୁହାଯାଇପାରେ। ସାଧାରଣତଃ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେଲେ ପଶ୍ଚିମବଙ୍ଗର ବର୍ଷା ପ୍ରଭାବିତ ହୋଇଥାଏ। ଶ୍ରାବଣ ମାସରେ ଏଭଳି ବର୍ଷା ଉତ୍ତରପ୍ରଦେଶ ଏବଂ ବିହାର ରାଜ୍ୟର ଅସହ୍ୟ ଗ୍ରୀଷ୍ମ ପ୍ରଭାବକୁ ମଧ୍ୟ ପ୍ରଶମିତ କରିବାରେ ସହଯୋଗ କରେ। ଏସବୁ ଘଟଣା ଜଳବାୟୁ ପରିବର୍ତ୍ତନ ସହ ଜଡିତ କିଛି ଅନିୟମିତକୁ ଦର୍ଶାଉଛି।
ଭାରତର ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସାରା ଭାରତବର୍ଷର ପାଣିପାଗ ଚିତ୍ରରେ ଦେଖାଯାଉଥିବା ସମସ୍ତ ପରିବର୍ତ୍ତନ ଉପରେ ଲକ୍ଷ୍ୟ ରଖାଯାଇଛି ଓ ଗବେଷଣା ଚାଲିଛି। ଯେଉଁ କଥାଟି ବେଶୀ ଚିନ୍ତାର ବିଷୟ; ତାହା ହେଲା, ଏବେ ଲଘୁଚାପ ସଂଖ୍ୟା ବଢ଼ୁଥିଲେ ହେଁ କମ୍ ସଂଖ୍ୟକ ଅବପାତ ସୃଷ୍ଟି ହେଉଛି। ତେବେ ଉଭୟ ଘଟଣାର ସିଧା ପ୍ରଭାବ ଓଡ଼ିଶା ଉପରେ ରହିଛି। ଡ. ମହାପାତ୍ର ଆହୁରି କହିଛନ୍ତି ଯେ ଭାରତବର୍ଷରେ ବାର୍ଷିକ ୧୩ରୁ ୧୪ ଲଘୁଚାପ ହୋଇଥାଏ ଓ ଏହାର ପ୍ରଭାବରେ ୫୭ଦିନ ପର୍ଯ୍ୟନ୍ତ ବର୍ଷା ହୋଇଥାଏ। ଅଗଷ୍ଟରେ ସବୁଠାରୁ ଅଧିକ ଲଘୁଚାପ ଓ ବର୍ଷା ହେବାର ରେକର୍ଡ ରହିଛି। ଚଳିତବର୍ଷ ଆରବ ସାଗରରେ ଗୋଟିଏ ଓ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଦୁଇଟି; ଏହିଭଳି ମୋଟ ତିନିଟି ଲଘୁଚାପ ହୋଇସାରିଛି। ଏହାର ପ୍ରଭାବରେ ନିଅଣ୍ଟିଆ ସ୍ଥିତିରୁ ତ୍ରାହି ମିଳିଛି। ଏଇଥିପାଇଁ ଯେ ଚଳିତବର୍ଷ ମୌସୁମୀ ଦୁର୍ବଳ ସ୍ଥିତିରେ ପ୍ରବେଶ କଲା। ଏେବ ଜୁଲାଇ ଏହାକୁ ଭରଣା କରୁଛି। ଖୁବ୍ ଶୀଘ୍ର ୨୨ତାରିଖ ବେଳକୁ ଝାଡ଼ଖଣ୍ଡ ଉପରେ ଗୋଟିଏ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବ ଓ ଏହାର ପ୍ରଭାବରେ ବି ଭଲ ବର୍ଷା ହେବ। ତେବେ ପୂରା ଭାରତବର୍ଷରେ ପାଣିପାଗରେ ଯେତେସବୁ ପରିବର୍ତ୍ତନ ଦେଖାଯାଉଛି, ତାହା ଉପରେ ନିରନ୍ତର ଅଧ୍ୟୟନ ଚାଲିଥିବା ଡ. ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/rain.jpg)