ଭୁବନେଶ୍ୱର: ଓଡ଼ିଶା ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ। ପ୍ର‌ଥମେ ଦକ୍ଷିଣ ଓଡ଼ିଶା ସ୍ପର୍ଶ କରିବ। ପରବର୍ତ୍ତୀ ସମୟରେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ବିସ୍ତାରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ। ବିଜୁଳି, ଘଡ଼ଘଡ଼ି, ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଦୁଇ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଜୁନ୍‌ ୮ରୁ ୧୦ ମଧ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ରା ବଢ଼ିବ। ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଲାଗିରହିବ ବୋଲି ସେ ଆକଳନ କରିଛନ୍ତି।

Advertisment

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧୦ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ। ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଜୁନ ୧୫ଠାରୁ ବଙ୍ଗୋପସାଗର ଶାଖା ସୁଦୃଢ଼ ହୋଇ ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେବେ ଜୁ‌ନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରିରୁ କମ୍ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ଡିଗ୍ରିରୁ କମ୍‌ ରହିବା ସହିତ ପାଗ ଉଷ୍ମ-ଆର୍ଦ୍ର ରହିବ। ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ ତେବେ ଜୁନ୍ ୧୨ରୁ ୧୬ ମଧ୍ୟରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୪୫ ଡିଗ୍ରି ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ୪୦ ଡିଗ୍ରି ପର୍ଯ୍ୟନ୍ତ ରହିପାରେ। ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ଏହାର ପ୍ରବାହ ଅଧିକ ରହିପାରେ ବୋଲି ‌ଶ୍ରୀ ସାହୁ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୫୨.୧ ମିମି ବର୍ଷା ହୋଇଥିବା ବେଳେ ନନ୍ଦାହାଣ୍ଡିରେ ୩୬, ତେନ୍ତୁଲିଖୁଣ୍ଟିରେ ୩୪, ଉମରକୋଟରେ ୧୮.୨, କୋଷାଗୁମୁଣ୍ଡାରେ ୧୪.୮, ମାଲକାନଗିରିରେ ୫୦.୫, କୋରାପୁଟ ଜିଲ୍ଲାର ପଟାଙ୍ଗୀରେ ୩୨, ନନ୍ଦପୁରରେ ୧୦, କଳାହାଣ୍ଡି ଜିଲ୍ଲାର କୋକସରା, ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୧୦.୬ ମିମି ବର୍ଷା ହୋଇଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ନୂଆପଡ଼ାରେ ୪୨.୩, ବୌଦ୍ଧରେ ୪୧.୮, ମାଲକାନଗିରିରେ ୪୧.୫, ଝାରସୁଗୁଡ଼ାରେ ୪୧.୩, ସମ୍ବଲପୁରରେ ୪୦.୮, ବରଗଡ଼ରେ ୪୦.୮, ନୟାଗଡ଼ରେ ୪୦.୫, ତାଳଚେରରେ ୪୦.୨, ସୋନପୁରରେ ୪୦.୧, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରି ରହିଥିଲା।