ବିଗିଡ଼ିଗଲାଣି ଋତୁଚକ୍ର: ‘ମୌସୁମୀ ସ୍ବାଭାବିକ’-ଏକ ପ୍ରହେଳିକା

ଚତୁର୍ମାସ୍ୟାରେ ବର୍ଷାରେ ଅନିୟମିତତା ବଢୁଛି

ଭୁବନେଶ୍ବର,(ଭବାନୀ ଶଙ୍କର ତ୍ରିପାଠୀ): ‘ଗ୍ରୀଷ୍ମେ, ବୈଶାଖ, ଜ୍ୟେଷ୍ଠ ମାସ
ପ୍ରଚଣ୍ଡ ରୌଦ୍ର ପରକାଶ।
ବର୍ଷାରେ ଆଷାଢ଼, ଶ୍ରାବଣ,
ମେଘ ବରଷେ ଘନ ଘନ।’

ପାଣିପାଗକୁ ଦେଖି ଓଡ଼ିଶାର ବାର, ମାସ ଓ ଋତୁ ସଂପର୍କରେ ‘ଛବିଳ ମଧୁ ବର୍ଣ୍ଣବୋଧ’ରେ ଏମିତି ରଚନା କରାଯାଇଛି। ଛୋଟ ପିଲାଟି ସମୟରୁ ସମସ୍ତଙ୍କ ଭିତରେ ଋତୁ ଚକ୍ର ସଂପର୍କରେ ଜ୍ଞାନର ବିକାଶ ଲାଗି ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଥିଲା।

ଏବେ ଫି ବର୍ଷ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶା ଭଳି କୃଷି ଉପରେ ନିର୍ଭର କରୁଥିବା ରାଜ୍ୟର ଚାଷୀଙ୍କୁ ଏହା ଆଶ୍ବସ୍ତ କରୁଛି। ହେଲେ ଚତୁର୍ମାସ୍ୟା ଅର୍ଥାତ୍ ଜୁନ୍, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରର ବର୍ଷାର ପରିମାଣକୁ ଟିକିନିଖି ତର୍ଜମା କରିବା ପରେ ଯେଉଁ ଭୟାନକ ଚିତ୍ରଟି ସାମ୍ନାକୁ ଆସୁଛି, ତାହା ସମସ୍ତଙ୍କୁ ଚମକାଇଦେବା ଭଳି। ଋତୁଚକ୍ର ପୂରା ବିଗିଡ଼ିଗଲାଣି। କବିଙ୍କ ଧାରା ଶ୍ରାବଣ ବ୍ୟାଖ୍ୟାନ ଯେମିତି ଏବେ ଧୀରେ ଧୀରେ ଅପ୍ରାସଙ୍ଗିକ ହୋଇଯାଉଛି।

୨୦୧୬ରୁ ୨୦୨୧ ମସିହାର ପ୍ରତିବର୍ଷ ହାରାହାରି ବୃଷ୍ଟିପାତ ବୟାନ କରୁଛି; ଓଡ଼ିଶାର ପାଣିପାଗରେ ଭୀଷଣ ଅନିୟମିତତା, ଅନିଶ୍ଚିତତା ଦେଖାଦେଲାଣି। ପାଣିପାଗ ବିଜ୍ଞାନୀ, ପରିବେଶବିତ୍‌ ସଠିକ ନିର୍ଣ୍ଣୟ କରିପାରୁନାହାନ୍ତି। କେବେ ବର୍ଷା ହେବ, ବର୍ଷାର ପରିଣାମ ଆଦି ସଂପର୍କରେ ଯେଉଁ ଚିତ୍ର ଅଙ୍କାଯାଉଛି, ସେସବୁ ପୂର୍ବାନୁମାନ ଅବିକଳ ହେବା ତ ଦୂରର କଥା ଅଧିକାଂଶ ପୂରା ବିପରୀତ ସାବ୍ୟସ୍ତ ହେଉଛି। ଓଡ଼ିଶା ଭଳି ଗୋଟିଏ କୃଷି ପ୍ରଧାନ ରାଜ୍ୟରେ ଚାଷକୁ ଏବେ ଇନ୍ଦ୍ର ଭରସା।

ଚାଷ, ପର୍ଯ୍ୟଟନ, ବିକାଶକୁ ପ୍ରଭାବିତ କଲାଣି
ରାଜ୍ୟ ସରକାର ନିରବ, ଠୋସ୍ କାର୍ଯ୍ୟକ୍ରମ ନାହିଁ

sanjeetv.me

 

ଓଡ଼ିଶାରେ ମାର୍ଚ୍ଚ ପହିଲାରୁ ମେ’ ୩୧ ତାରିଖ ମଧ୍ୟରେ ୧୨୮,୪୪ ମିମି ପ୍ରାକ୍‌ ମୌସୁମୀ ବର୍ଷା ହେବା କଥା। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୧୫୫.୩ମିମି ବର୍ଷା ହେଲେ ଏହାକୁ ସ୍ବାଭାବିକ ପରିସ୍ଥିତି ବୋଲି କୁହାଯିବ। ମୌସୁମୀ ଫେରିଗଲା ପରେ ୧୩୧.୩ ମିମି ବର୍ଷା (ଅକ୍ଟୋବର ପହିଲାରୁ ଡିସେମ୍ବର ୩୧ ତାରିଖ) ହୋଇଥାଏ।
ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ଜୁନରେ ୨୧୭.୭ ମିମି, ଜୁଲାଇରେ ୩୪୪.୬ମିମି, ଅଗଷ୍ଟରେ ୩୬୬.୪ମିମି ଏବଂ ସେପ୍ଟେମ୍ବରରେ ୨୨୬.୬ ମିମି ବର୍ଷା ହେଲେ ଏହା ସ୍ବାଭାବିକ ବର୍ଷା ବୋଲି ଧରି ନିଆଯିବ।

ହେଲେ ଏହି ୬ବର୍ଷ (୨୦୧୬-୨୦୨୧) ର ପରିସଂଖ୍ୟାନକୁ ତର୍ଜମା କଲେ ଦେଖାଯାଉଛି ଯେ ୨୦୦୬ ମସିହାରେ ଜୁନ୍ (-୨୪%), ଜୁଲାଇ (-୧୮%) ଓ ଅଗଷ୍ଟ (-୧୩%)ରେ କମ୍ ବର୍ଷା ରେକର୍ଡ ହୋଇଛି। ୨୦୧୭ରେ ଅଗଷ୍ଟ (-୧୭%) ଓ ସେପ୍ଟେମ୍ବରରେ (-୧୯%) ଏବଂ ୨୦୧୮ ଜୁନ୍ ମାସରେ (-୨୯%) କମ୍ ବର୍ଷା ହୋଇଥିଲା। ୨୦୧୮ରେ ବାକି ତିନିମାସ ଜୁଲାଇ (+୨୯%), ଅଗଷ୍ଟ (+୧୪%) ଏବଂ ସେପ୍ଟେମ୍ବରରେ (+୨୧%) ଅଧିକ ବର୍ଷା ଚାଷୀକୁ ଚିନ୍ତାରେ ପକାଇଥିଲା।

୨୦୧୯ ମସିହାର ଚିତ୍ର କହୁଛି, ସେବର୍ଷ ଜୁନ୍ (-୩୩%) ଓ ଜୁଲାଇ (-୧୩%)ରେ ବର୍ଷା ନ ଥିଲା, ଅଥଚ ଅଗଷ୍ଟ (+୨୨%) ଓ ସେପ୍ଟେମ୍ବରର (+୫୦%) ଅତିବର୍ଷା ଚାଷକୁ ଗଭୀର ପ୍ରଭାବିତ କଲା। ୨୦୨୦ରେ ଜୁନ୍ (+୧୫%) ଓ ଅଗଷ୍ଟ (୪୦%) ର ବର୍ଷା ଏବଂ ଜୁଲାଇ (-୩୫%)ଏବଂ ସେପ୍ଟେମ୍ବର (-୩୨%) ବର୍ଷା ସ୍ବାଭାବିକ ବୋଲି କୁହାଯିବ କି? ୨୦୨୧ ମସିହାରେ ବର୍ଷାର ପରିମାଣ ଆନ୍ଦୋଳିତ କଲାଭଳି। ଗତବର୍ଷ ଜୁନ୍ (-୧୭%), ଜୁଲାଇ (-୨୦%) ଓ ଅଗଷ୍ଟ (-୪୪%) ବର୍ଷା କମିଥିବା ବେଳେ ସେପ୍ଟେମ୍ବର ମାସର (+୬୯%) ବର୍ଷା ସୂଚାଇଦେଉଛି ଯେ ମୌସୁମୀର ଗତିବିଧି ଓଡ଼ିଶାରେ ଠିକ୍‌ ଠାକ୍ ନାହିଁ।

ଏବର୍ଷ ସ୍ଥିତି ଆହୁରି ଗମ୍ଭୀର ବୋଲି ପୂର୍ବାନୁମାନ କରାଗଲାଣି। ଚଳିତବର୍ଷ ରାଜ୍ୟରେ କାଳବୈଶାଖୀ ପ୍ରାୟ ଉଭାନ୍। ମାର୍ଚ୍ଚ, ଏପ୍ରିଲ ଓ ମେ’ର ପ୍ରଥମ ଦୁଇ ସପ୍ତାହରେ ନିଅଣ୍ଟିଆ ବର୍ଷା ଚିନ୍ତାରେ ପକାଇଛି। ଠିକ୍ ଏମିତି ସମୟରେ ମୌସୁମୀ ବର୍ଷା ସଂପର୍କରେ ଆସୁଥିବା ପୂର୍ବାନୁମାନ ମଧ୍ୟ ଆତଙ୍କିତ କଲାଣି। ଯଦିଓ ମୌସୁମୀ ଆଗୁଆ ଆସିବ ଓ ସ୍ବାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖୁଛନ୍ତି, ତଥାପି ପ୍ରାକ୍ ଆକଳନ କରି କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଲେଣି ଯେ ଏବର୍ଷ ଜୁନ୍ ମାସରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ନାହିଁ। ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ୧୫ ଯାଏ ବିଶେଷ ବର୍ଷା ନ ହେଲେ ବିସ୍ମିତ ହେବାର କିଛି ନାହିଁ। ଏହାପରେ କିନ୍ତୁ ଭାରି ବର୍ଷା ହେବ।

ଏବେ ପ୍ରଶ୍ନ ଉଠୁଛି, ପରମ୍ପରା ଅନୁସାରେ, ଯେଉଁ ଚାଷୀ ତା’ ବିଲରେ ଅକ୍ଷୟତୃତୀୟା ଦିନ ଅକ୍ଷିମୁଠି ଅନୁକୂଳ କରି ଚାଷ ଆରମ୍ଭ କରିଛି ସେ ଜମିର ଭାଗ୍ୟ କ’ଣ ହେବ?  ପାଣିପାଗରେ ଏଭଳି ପରିବର୍ତ୍ତନ ସଂପର୍କରେ ରାଜ୍ୟ ସରକାରଙ୍କର ଦାୟିତ୍ବଟି କ’ଣ? ଗୋଟିଏ ପଟେ ଚାଷୀର ଉତ୍ପାଦିତ ଫସଲର ମୂଲ୍ୟ ମିଳୁନି। ତା’ ସାଙ୍ଗକୁ ଯଦି ପାଣିପାଗ ଦାଉ ସାଧେ, ଚାଷୀର ଅର୍ଥନୈତିକ େମରୁଦଣ୍ଡ ଭୁଶୁଡି ପଡ଼ିବ ନାହିଁ କି? ସେହିଭଳି ଋତୁଚକ୍ରରେ ଏତେବଡ ପରିବର୍ତ୍ତନର ପ୍ରଭାବ ଓଡ଼ିଶାର ପର୍ଯ୍ୟଟନ ବଜାର ଠାରୁ ଆରମ୍ଭ କରି ରାଜ୍ୟର ଉନ୍ନୟନ ଏବଂ ବଜେଟ୍ ଅର୍ଥ ବିନିଯୋଗ ପର୍ଯ୍ୟନ୍ତ ସବୁ ଉପରେ ଜବରଦସ୍ତ ପଡୁଛି।

ସରକାର ଏସବୁ ଆକଳନ କରି ସମାଧାନ ରାସ୍ତା କାଢ଼ିବା ପରିବର୍ତ୍ତେ ନିରବ ରହିବା, ସର୍ବୋପରି ଜଳବାୟୁରେ ଏତେ ବଡ଼ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଯେତିକି ତତ୍ପରତା ଦେଖାଇବା କଥା, ସେଥିରେ ଅଭାବ ବୁଦ୍ଧିଜୀବୀ, ପରିବେଶବିତ୍ ସମସ୍ତଙ୍କୁ ଆଚମ୍ବିତ କରୁଛି।

ଏମିିତି ନୁହେଁ, ଯେ ସରକାର ଏ ସଂପର୍କରେ ଅଗୋଚର ଅଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଜଳବାୟୁ ପରିବର୍ତ୍ତନକୁ ତାର ଅଙ୍ଗ ଭାବେ ଗ୍ରହଣ କରିବା ସହିତ ଏକ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ହେଲେ ଏହାର କୌଣସି ପ୍ରଭାବ ଏଯାଏ ରାଜ୍ୟବାସୀ ଅନୁଭବ କରିପାରୁନାହାନ୍ତି। ଏପରି ସମୟରେ ପ୍ରାୟ ୧୨୦ ବ୍ଲକର ୩୫%ଜମିରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବା ଦିଗରେ ବିଭାଗୀୟ ଉଦାସୀନତା ପ୍ରତି ଆଙ୍ଗୁଳି ଉଠିବା ସ୍ବାଭାବିକ।

ସେପଟେ ଚାଷୀ ସାମ୍ନାରେ ଗୋଟିଏ ବଡ ଆହ୍ବାନ ଦେଖାଦେଇଛି। ତା’ ହେଲା ପାରମ୍ପରିକ ପଦ୍ଧତିରେ ଚାଷ ଆଉ ସମ୍ଭବ କି? କେଉଁ ଚାଷ କରିବ, କେବେ କରିବ ତାହା ମଧ୍ୟ ନିର୍ଣ୍ଣୟ କରିବା ତା’ ପାଇଁ କାଠିକର ପାଠ ହୋଇପଡ଼ିଲାଣି। ଏ କ୍ଷେତ୍ରରେ ମଧ୍ୟ ସରକାରଙ୍କ ଉଦ୍ୟମ ନୈରାଶ୍ୟଜନକ।

The Bangkok Post

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ମତ ହେଉଛି, ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ପୂର୍ବାନୁମାନ କରୁଛନ୍ତି, ତାହା ଦୀର୍ଘ ଅବଧି ଲାଗି ଉଦ୍ଦିଷ୍ଟ। କିନ୍ତୁ ବର୍ଷାର ପରିମାଣ ମୌସୁମୀର ସକ୍ରିୟତା ଓ ଦୁର୍ବଳ ସ୍ଥିତି ଉପରେ ନିର୍ଭର କରୁଛି। ଲକ୍ଷ୍ୟ କରାଯାଉଛି, ଓଡ଼ିଶାର ବର୍ଷା ମୁଖ୍ୟତଃ ଲଘୁଚାପ ଉପରେ ନିର୍ଭରଶୀଳ। ଏହି ଚାରିମାସ ମଧ୍ୟରେ ୧୨ଟି ଲଘୁଚାପ ହେବା କଥା। ତେଣୁ ଏହାର ସଂଖ୍ୟା ଉପରେ ବର୍ଷାର ପରିମାଣ କମ୍ ଓ ବେଶୀ ହେଉଛି। ସେହିଭଳି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିକ୍ଷିପ୍ତ ବର୍ଷା ଏବେ ଚିନ୍ତାର କାରଣ ହେଲାଣି। ଏଣୁ ଗୋଟିଏ ସମୟରେ କିଛି ଜିଲ୍ଲାରେ ମରୁଡି ଭଳି ସ୍ଥିତି ସୃଷ୍ଟି ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଭୀଷଣ ବା ଅତି ବର୍ଷା ଦେଖାଯାଉଛି।
ପ୍ରଫେସର ପଶୁପାଳକ ଏ ସଂପର୍କରେ ମତ ରଖିବା ବେଳେ ଜଳବାୟୁ ପରିବର୍ତ୍ତନକୁ ମୋଟାମୋଟି ଦାୟୀ କରୁଛନ୍ତି। ବିଶେଷକରି ଚାଷ ଉପରେ ଏହାର ପ୍ରଭାବ ସଂପର୍କରେ ତାଙ୍କ ଯୁକ୍ତି ବିଚଳିତ କଲାଭଳି। ତାଙ୍କର କହିବା କଥା ହେଉଛି, ଓଡ଼ିଶାରେ ମୁଖ୍ୟତଃ ଧାନ ଚାଷ କରାଯାଉଛି। ରାଜ୍ୟରେ ଧାନ ଗୋଟିଏ ଅର୍ଥକାରୀ ଫସଲ ଭାବେ ଏବେ ବିବେଚିତ ହେଲାଣି। ବର୍ଷକୁ ବର୍ଷ ଧାନର ବିକ୍ରି ପରିସଂଖ୍ୟାନ ଏହାକୁ ଦୃଢୀଭୂତ କରୁଛି।

Mapio.net

ଦ୍ବିତୀୟତଃ, ରାଜ୍ୟରେ ପାଖାପାଖି ଅଧା ଜମି ଢିପ ବୋଲି କୁହାଯାଇପାରିବ ଓ ବାକି ଅଧା ଜମିରୁ ପ୍ରାୟ ଯେତିକି ଖାଲୁଆ, ସେତିକି ମଧ୍ୟମ କିସମର ଜମି। ପାଣିପାଗରେ ସଂପ୍ରତି ଯେଭଳି ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି ସେଥିରେ ଢିପ ଜମିରେ ଧାନ ଚାଷ ସ୍ପୃହଣୀୟ ନୁହେଁ। ଏହି କିସମ ଜମିରେ ଅଣଧାନ ଫସଲ କରାଯାଇପାରିବ ଏବଂ ମକାଚାଷ ଓଡ଼ିଶାର ପାଣିପାଗରେ ଭଲ ହେବ। କିନ୍ତୁ ଏହାର ବଜାର ବା ପ୍ରୋସେସିଂ ପ୍ଲାଣ୍ଟର ବିକାଶ ହୋଇନଥିବା କାରଣରୁ ଚାଷୀ ଏ ଦିଗକୁ ଆକର୍ଷିତ ହେବା ମୁସ୍କିଲ୍। ଏ ଦିଗରେ ମଣ୍ଡିର ବିକାଶ ମଧ୍ୟ ସେଭଳି ହୋଇନାହିଁ।

ତୃତୀୟତଃ, ମଧ୍ୟମ କିଷମ ଜମି ପାଇଁ ଧାନ ଫସଲ ସବୁଠୁ ଭଲ, କାରଣ ଏହା ଅଧିକ ସହଣିକ। ଖାଲୁଆ ଜମିରେ ଧାନ ଫସଲ ଛଡା ଅନ୍ୟ କିଛି କରାଯିବା ଉଚିତ୍ ନୁହେଁ। କାରଣ ବର୍ଷାଋତୁରେ ବର୍ଷାର ଅନିୟମିତତା କାରଣରୁ ଏସବୁ ଜମିରେ ଯେତେ ଅର୍ଥକରୀ ଫସଲ କରାଯିବ, ତାହା ତିଷ୍ଠି ରହିବା ଅସମ୍ଭବ। ତେବେ ଏସବୁ ବ୍ୟତୀତ ପାଗ ଯୋଗ ଦେଖି କେତେ ଦିନିଆ ଧାନ ଚାଷ କଲେ ଚାଷୀ ଉପକୃତ ହେବ, ଏହା ପ୍ରତିବର୍ଷ ନିର୍ଣ୍ଣୟ କରିବାକୁ ହେବ।

ସମ୍ବନ୍ଧିତ ଖବର