ଲୁଚକାଳି ମଧ୍ୟରେ ଜିଲ୍ଲାରୁ ବିଦାୟ ନେଲା ମୌସୁମୀ

ବାରିପଦା : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲୁଚକାଳି ଖେଳ ମଧ୍ୟରେ ଅକ୍ଟୋବର ୨୬ରେ ବିଦାୟ ନେଇଛି । ମୟୂରଭଞ୍ଜରୁ ମୌସୁମୀ ପ୍ରତ୍ୟାହାରର ଧାର୍ଯ୍ୟ ତାରିଖ ଅକ୍ଟୋବର ୧୫ ହୋଇଥିବା ବେଳେ ଚଳିତ ବର୍ଷ ବ୍ୟତିକ୍ରମ ଦେଖା ଦେଇଥିଲା । ଗତ ଗତ ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଏହାର ପ୍ରଭାବରେ ଜିଲ୍ଲାରେ ଅକ୍ଟୋବର ୨୫ରେ ୬୫.୬ ମିମି ଓ ୨୬ରେ ୧୧ ମିମି ବର୍ଷା ହୋଇଥିଲା । ମୟୂରଭଞ୍ଜରେ ମୌସୁମୀ ପ୍ରବେଶର ତାରିଖ ଜୁନ ୧୦ ହୋଇଥିବା ବେଳେ ଜୁନ ୨ରେ ପ୍ରଭାବ ପରିଲକ୍ଷିତ ହୋଇଥିଲା ଏବଂ କୃଷି ବିଭାଗର ରେକର୍ଡ଼ରୁ ଉକ୍ତ ଦିନ ଜିଲ୍ଲାରେ ୩୪୨.୭୮ ମିମି ବର୍ଷା ହୋଇଥିବାର ସୂଚନା ମିଳିଛି ।

ତେବେ ଜୁନରେ ଜିଲ୍ଲାରେ ସ୍ୱଭାବିକ ବୃଷ୍ଟିପାତ ୨୬୫.୮୦ ମିମି ଥିବା ବେଳେ ପ୍ରକୃତ ବୃଷ୍ଟିପାତ ୨୬୭.୯୨ ମିମି ରହିଥିଲା। ଜୁନରେ ସ୍ୱଭାବିକ ବୃଷ୍ଟିପାତଠାରୁ ୦.୮ ମିମି ଅଧିକ ବର୍ଷା ହୋଇଥିଲା । ଏହି ସମୟରେ ସାରସକଣା ବ୍ଲକରେ ସର୍ବାଧିକ ୫୧୯.୬୦ ମିମି ଓ ରରୁଆଁରେ ସର୍ବନିମ୍ନ ୪୮ ମିମି ବର୍ଷା ହୋଇଥିଲା । ସେହିପରି ଜୁଲାଇରେ ସ୍ୱଭାବିକ ବୃଷ୍ଟିପାତ ୩୩୭.୩୦ ମିମି ରହିଥିବା ବେଳେ ପ୍ରକୃତ ବୃଷ୍ଟିପାତ ୨୦୦.୬୫ ମିମି ରହିଥିଲା ଏବଂ ଏହା ସ୍ୱଭାବିକ ବୃଷ୍ଟିପାତଠାରୁ ୪୦.୫୧ ପ୍ରତିଶତ କମ୍ ରହିଥିଲା । କୁଳିଅଣା ବ୍ଲକରେ ସର୍ବାଧିକ ୩୨୫.୬୦ ଓ କୁସୁମୀ ବ୍ଲକରେ ସର୍ବନିମ୍ନ ୬୭.୬୦ ମିମି ବର୍ଷା ହୋଇଥିଲା । ଅଗଷ୍ଟରେ ସ୍ୱଭାବିକ ବୃଷ୍ଟିପାତ ୩୫୯.୯ ମିମି ରହିଥିବା ବେଳେ ପ୍ରକୃତ ବୃଷ୍ଟିପାତ ୫୦୦.୩୧ ମିମି ହୋଇଥିଲା ଓ ଏହା ସ୍ୱଭାବିକ ବୃଷ୍ଟିପାତଠାରୁ ୨୮.୦୬ ପ୍ରତିଶତ ଅଧିକ ରହିଥିଲା । କୁସୁମୀ ବ୍ଲକରେ ସର୍ବାଧିକ ୬୬୫.୫୩ ମିମି ଓ ତିରିଂ ବ୍ଲକରେ ସର୍ବନିମ୍ନ ୩୨୩.୭୦ ମିମି ବର୍ଷା ହୋଇଥିଲା ।

ସେପ୍ଟେମ୍ବରରେ ସ୍ୱଭାବିକ ବୃଷ୍ଟିପାତ ୨୬୨ ମିମି ରହିଥିବା ବେଳେ ପ୍ରକୃତ ବୃଷ୍ଟିପାତ ୧୩୭.୦୧ ମିମି ରହିଥିଲା ଓ ସ୍ୱଭାବିକ ବୃଷ୍ଟିପାତଠାରୁ ୪୭.୭୧ ପ୍ରତିଶତ କମ୍ ବର୍ଷା ହୋଇଥିଲା । ଯଶୀପୁର ବ୍ଲକରେ ସର୍ବାଧିକ ୨୦୨.୪୦ ମିମି ଓ ରରୁଆଁ ବ୍ଲକରେ ସର୍ବନିମ୍ନ ୨୪ ମିମି ବର୍ଷା ହୋଇଥିଲା । ଅକ୍ଟୋବର ୨୬ ସୁଦ୍ଧା ୧୦୭.୧୭ ମିମି ବର୍ଷା ହୋଇଥିବା ସମୟରେ ମୋରଡ଼ା ବ୍ଲକରେ ସର୍ବାଧିକ ୨୫୨ ମିମି ଓ ରରୁଆଁ ବ୍ଲକରେ ସର୍ବନିମ୍ନ ୧୬ ମିମି ବର୍ଷା ହୋଇଥିବାର କୃଷି ବିଭାଗ ରେକର୍ଡରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର