କୁଆଡ଼େ ଗଲା ମୌସୁମୀ! : ସମୟ ଗଡ଼ୁଛି, ଧରାଛୁଆଁ ଦେଉନି, ଆହୁରି ବିଳମ୍ବ ହେବ, ଭରସା ଘୂର୍ଣ୍ଣିବଳୟ

ଭୁବ‌ନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ କେବେ ‌କେରଳରେ ପହଞ୍ଚିବ? ଓଡ଼ିଶାକୁ କେବେ ଆସିବ? ଭଲ ‌ବର୍ଷା ହେବ ନା ନାହିଁ? ଭାରତରେ ପହଞ୍ଚିବାର ନିର୍ଦ୍ଧାରିତ ସମୟ(ଜୁନ୍‌ ପହିଲା) ଗଡ଼ି ଯାଉଥିଲେ ମଧ୍ୟ ମୌସୁମୀ ଧରାଛୁଆଁ ଦେଉନି। ଏଭଳି ସମୟରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ନିର୍ଦ୍ଦିଷ୍ଟ ଦିନ ଆକଳନ କରିପାରୁନି। ଜୁନ୍‌ ୫ରୁ ୭ ମଧ୍ୟରେ ମୌସୁମୀ କେରଳ ଛୁଇଁବାର ପୂର୍ବାନୁମାନ କରିଛି। ତେବେ ୬ ତାରିଖ ବେଳକୁ ଆରବସାଗର ଓ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ପୂର୍ବାନୁମାନ ହେଉଛି ଯେ ‌ମୌସୁମୀ ବାୟୁ ଜୁନ୍‌ ୫ କିମ୍ବା ୬ ତାରିଖରେ କେରଳ ଛୁଇଁବ। ଏହାର ୬ ଦିନ ପରେ ଅର୍ଥାତ୍‌ ୧୨ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ପହଞ୍ଚିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ‌ରହିବ। ଏହି ସମୟ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଜୁନ୍‌ ୬ରେ କେରଳ ଉପକୂଳ ସଂଲଗ୍ନ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ପଶ୍ଚିମ ବାୟୁର ଆରବୀୟ ଶାଖା ସକ୍ରିୟ ହେବ। ତାହା କ୍ରମଶଃ ଉତ୍ତର ଆଡ଼କୁ ଗତି କରିବ। ଫଳରେ କେରଳ ଉପକୂଳ ସ‌ମେତ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳ ଦେଇ ଗୁଜୁରାଟ ଆଡ଼େ ଗତି କରିବ। ତେବେ ଆଭ୍ୟନ୍ତରୀଣ ଦକ୍ଷିଣ ଭାରତରେ ବର୍ଷା କରାଇବ ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବଙ୍ଗୋପସାଗରୀୟ ଶାଖା ସକ୍ରିୟ ରହିଥିବାରୁ ପୂର୍ବ ବଙ୍ଗୋପସାଗର ଓ ସଂଳଗ୍ନ ଦେଶଗୁଡ଼ିକରେ ବର୍ଷା ହେଉଛି। ତାହା ‌ଦେଶର ପୂର୍ବ ଉପକୂଳରେ ବର୍ଷା କରାଇବାର ସମ୍ଭାବନା କମ୍‌। ୬ ତାରିଖ ବେଳକୁ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହାର ପ୍ରଭାବ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ ପଡ଼ିବ। ଏହାଦ୍ବାରା ଓଡ଼ିଶାରେ ୯ ଓ ୧୦ ତାରିଖରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ବର୍ଷା ହେବ। ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ। ଲଘୁଚାପଜନିତ ବର୍ଷା ମୌସୁମୀ ବର୍ଷାର ଏକ ଅଙ୍ଗ ହୋଇଥିବାରୁ ଓଡ଼ିଶାରେ ହେବାକୁ ଥିବା ବର୍ଷାକୁ ‌ମୌସୁମୀ ବର୍ଷା କୁହାଯାଇପାରେ। ଯଦି ଏପରି ହୁଏ ତେବେ ଏଥର ଓଡ଼ିଶାର ଉତ୍ତର ଆଡ଼ୁ ମୌସୁମୀ ବର୍ଷା ହେବ। ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ କିମ୍ବା ଉପକୂଳ ଓଡ଼ିଶାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ରାଜ୍ୟରେ ଦୁଇ ଦିନ ବର୍ଷା ହେବା ପରେ ଛାଡ଼ିଯିବାର ସମ୍ଭାବନା ଅଧିକ ରହିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ତାତିରୁ ଟିକିଏ ନିସ୍ତାର ମିଳିଛି। ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ କମିଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଭବାନୀପାଟଣା ଓ ବଲାଙ୍ଗୀରରେ ୪୩, ସମ୍ବଲପୁରରେ ୪୨.୯, ମାଲକାନଗିରିରେ ୪୨.୮, ତାଳଚେରରେ ୪୨.୪, ହୀରାକୁଦରେ ୪୨.୧ ଡିଗ୍ରି ରହିଥିଲା। ଭୁବନେଶ୍ବର ସମେତ କଟକ, ପୁରୀ, ନୟାଗଡ଼, ହୀରାକୁଦ, ଅନୁଗୁଳ, ଦାରିଙ୍ଗବାଡ଼ି, ବାଲେଶ୍ବର ଆଦି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବା ଜଣାପଡ଼ିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ କହିଛନ୍ତି ଯେ ବର୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିବ। ତେବେ ପଶ୍ଚିମ ଓଡ଼ିଶାରେ ଗରମ ଜାରି ରହିବ। ଜୁନ୍‌ ୪ରେ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ରହିବ। ଏହାପରେ ସାମାନ୍ୟ କମିବ। ୮ରୁ ୧୦ରେ ଅଧିକ ଗରମ ଅନୁଭୂତ ହେବ। ଏବେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ଜଣାପଡ଼ୁନି। ତେବେ ମୌସୁମୀ ବାୟୁର ପ୍ରବେଶ ହେବାର ସ୍ପଷ୍ଟ ଚିତ୍ର ଦୁଇ ଦିନ ମଧ୍ୟରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର