ଭୁବନେଶ୍ବର : ସାଧାରଣତଃ ଦେଖାଯାଇଛି ଯେ ଜୁନ୍‌ ପହିଲା(ଦୁଇ ଦିନ ଏପାଖସେପାଖ)ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥାଏ। ଏଥର ମଧ୍ୟ ସେହି ସମୟରେ କେରଳରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା। ଗତ ମେ’ ୧୮ ତାରିଖରେ ବି ମୌସୁମୀ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପହଞ୍ଚିଲା। ତେବେ ସେଠାରେ ହିଁ ଅଟକିଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।  ପୁଣିଥରେ ସକ୍ରିୟ ହେବା ଲାଗି ସମୟ ଲାଗିବ। ତେଣୁ ମୌସୁମୀ ଏଥର ବିଳମ୍ବରେ କେରଳ ଛୁଇଁବ।

Advertisment

ଭାରତୀୟ ପାଣିପାଗ ବିଭାଗ ବି ମୌସୁମୀଙ୍କୁ ନେଇ ଆଶଙ୍କାରେ ପଡ଼ିଛି। ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ଆଣ୍ଡାମାନରେ ରହିଛି। ସୁପ୍ତ ହୋଇଥିବା ମୌସୁମୀ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବ। ଜୁନ୍‌ ୨ ବେଳକୁ ଦକ୍ଷିଣ ବଙ୍ଗୋପସାଗର, ଉତ୍ତର ଆଣ୍ଡାମାନ ସାଗର, ମାଲଦୀପ-କାମୋରିନ୍‌ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବାହ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି। ସକ୍ରିୟ ହେବା ପରେ ତାହା ଦକ୍ଷିଣ ଭାରତ ତଥା କେରଳ ମୁହାଁ ହେବ। ତେଣୁ ଜୁନ୍‌ ୬ କିମ୍ବା ୭ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିପାରେ।

ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମାର୍ଟ’ର କହିବା କଥା ହେଉଛି ଯେ କେରଳରେ ମୌସୁମୀ ବା‌ୟୁ ପ୍ରବାହ ହେବାର ସମୟ ହୋଇଗଲାଣି। ତେବେ ଏବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ମେ’ ୧୮ରେ ଆଣ୍ଡାମାନ ଓ ନିକୋବର ଛୁଇଁବା ପରେ ମୌସୁମୀ ଏପ୍ରକାର ସୁପ୍ତ ହୋଇ ରହିଛି। ସକ୍ରିୟ ହେବାକୁ କିଛି ଦିନ ଲାଗିପାରେ। ତେବେ ଦକ୍ଷିଣ ଭାରତ ଉପରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ, ଦକ୍ଷିଣ କର୍ଣ୍ଣାଟକ ଓ ରୟାଲସୀମାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଉପକୂଳ, ତେଲେଙ୍ଗନା ଓ ଉତ୍ତର କେନ୍ଦ୍ରୀୟ କର୍ଣ୍ଣାଟକର ଗୋଟିଏ ଦୁଇଟି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ। କିନ୍ତୁ ମୌସୁମୀ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ  ପ୍ରବଳ ବର୍ଷା ହେବ। ମଧ୍ୟ ଭାରତରେ ଲୁ ପ୍ରଭାବ ରହୁଛି। ତେଣୁ ବିଦର୍ଭ ସମେତ ‌ତେଲେଙ୍ଗାନା, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ଼, ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ। ମୌସୁମୀ ପ୍ରବାହରେ ବିଳମ୍ବ ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କେରଳ ଓ ସଂଲଗ୍ନ ରାଜ୍ୟରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ମୁଖ୍ୟତଃ ପଶ୍ଚିମ ଆଡ଼ୁ ପ୍ରବାହିତ ହେବ। ତେବେ ଏକ ଘୁର୍ଣ୍ଣିବଳୟ ଯୋଗୁଁ ୩ ଓ ୪ ତାରିଖରେ ଭଲ ବର୍ଷା ହେବ। କିନ୍ତୁ ସେଥିରେ ମୌସୁମୀ ବର୍ଷାର ଲକ୍ଷଣ ଦେଖାଯାଉ ନାହିଁ। ଓଡ଼ିଶାରେ ରଜ ପୂର୍ବରୁ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସୂଚନା ମିଳୁଛି କି ବର୍ତମାନ ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ବର୍ଷା ହେଉଛି। ତାହା ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେଲେ ଘୂର୍ଣ୍ଣିବଳୟ ଦ୍ବାରା ଓଡ଼ିଶା ଉପକୂଳକୁ ଟାଣିଆଣିବ। ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ପୁଣିଥରେ ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଏଥିସହ ବଲାଙ୍ଗୀରରେ ୪୨.୫ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ା ୪୨.୨, ଭବାନୀପାଟଣାରେ ୪୨, ଅନୁଗୁଳ ଓ ତାଳଚେରରେ ୪୧.୭ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ବି ଗୋଟିଏ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ତେବେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।