୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ

୧୨ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
୩ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶା ଦେଇ ଏହା ଓଡ଼ିଶାକୁ ପ୍ରବେଶ କରିବ। ପ୍ରଭାବରେ ୧୦ ତାରିଖ ସନ୍ଧ୍ୟା କିମ୍ବା ରାତିଠାରୁ ମାଲକାନଗିରି, ଗଞ୍ଜାମ, କୋରାପୁଟ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଯଦି ସବୁ କିଛି ଠିକ୍‌ ଚାଲେ, ତେବେ ୧୪ ତାରିଖ ସୁଦ୍ଧା ଅଧା ରାଜ୍ୟକୁ ଛୁଇଁଯିବାର ସମ୍ଭାବନା ରହିଛି। ଗତବର୍ଷ ତୁଳନାରେ ଏଥର ୧୦ ଦିନ ପୂର୍ବରୁ ଓଡ଼ିଶାରେ ମୌସୁମୀ ପହଞ୍ଚିବ ଏବଂ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବି‌ଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସଙ୍କ କହିବାନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଉତ୍ତର ଓଡ଼ିଶାର କେ‌ତେକ ଜିଲ୍ଲାରେ ବି ବର୍ଷା ହୋଇପାରେ। ଏହି ଲଘୁଚାପ ଦ୍ବାରା ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବାହ ହେବ। ଜୁନ୍‌ ୧୧ରୁ ୧୨ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ। ପ୍ରଭାବରେ ୧୦ ଓ ୧୧ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ବର, ଭଦ୍ରକ, ଖୋର୍ଧା, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ‌‌ତେଣୁ ଏହି ତିନି ଦିନ ଲାଗି ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଫେରି ଆସିବାକୁ କୁହାଯାଇଛି।

YouTube

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‌ ୧୦ରୁ ୧୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଗଜପତି ଓ ଗଞ୍ଜାମରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୧ ତାରିଖ ଅପରାହ୍‌ଣରୁ ୧୨ ତାରିଖ ପର୍ଯ୍ୟନ୍ତ ଅବିଭକ୍ତ ଗଞ୍ଜାମ, ଅବିଭକ୍ତ କୋରାପୁଟ, ଅବିଭକ୍ତ ଫୁଲବାଣୀ, ଅବିଭକ୍ତ କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରୁ ବର୍ଷାର ପ୍ରକୋପ କମିଯିବ। ୧୪ ଓ ୧୫ ତାରିଖରେ ମୌସୁମୀକୁ କିଛି ମାତ୍ରାରେ ଏହା ସକ୍ରିୟ କରିବ। ଏହି ଦୁଇ ଦିନ ଦକ୍ଷିଣ ଓଡ଼ିଶା ସହ ଅବିଭକ୍ତ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ପୁରୀ, ଖୋର୍ଧା, ନୟାଗଡ଼ରେ ମଧ୍ୟମଧରଣର ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ପୂର୍ବ ମୌସୁମୀ ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ। ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ପରେ ଏହା ଦକ୍ଷିଣ ଛତିଶଗଡ଼ମୁହାଁ ହେବ। ପ୍ରଭାବରେ ବୁଧବାର ଅପରାହ୍‌ଣ କିମ୍ବା ରାତିଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହେବ। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ସାରା ରାଜ୍ୟରେ ଦେଖାଦେବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି।

ସମ୍ବନ୍ଧିତ ଖବର