ମୌସୁମୀ ପାଇଁ ‘ବାୟୁ’ ବାଧକ, ୨୦ରେ ଓଡ଼ିଶା ଛୁଇଁପାରେ
ଭୁବନେଶ୍ବର : କେରଳରେ ମୌସୁମୀ ସକ୍ରିୟ ହୋଇଥିଲେ ହେଁ ଏହା ଓଡ଼ିଶା ଦିଗରେ ଯେମିତି ଆସିବା କଥା ଆସୁନି। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ପ୍ରଭାବରେ ଦକ୍ଷିଣ ପଶ୍ଚିମ ଦିଗରୁ ଆସିବାକୁ ଥିବା ମେଘ ବାଦଲ ଓଡ଼ିଶା ଦିଗରେ ଆସୁନି। ଏପରିକି ଦକ୍ଷିଣ ପଶ୍ଚିମ ଦିଗରୁ ମୌସୁମୀ ବାୟୁ ବହୁନି। ତେଣୁ ଓଡ଼ିଶାକୁ ମୌସୁମୀ ପ୍ରବେଶ ବିଳମ୍ବ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଉତ୍ତର ଭାରତର ଆସାମ, ଗ୍ୟାଙ୍ଗଟକ୍ ଅଞ୍ଚଳରେ ଏବେ ମୌସୁମୀ ସକ୍ରିୟ ହୋଇଛି। ଏହା ଏବେ ଓଡ଼ିଶା ଦିଗରେ ଗତି କରୁଛି। ଯାହା ପ୍ରଭାବରେ ଓଡ଼ିଶାରେ ଜୁନ୍ ୨୦ ବେଳକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ କହିଛନ୍ତି।
ସେହିପରି ଉତ୍ତର ବଙ୍ଗୋପସାଗରରେ ୧୯ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨୦ତାରିଖରୁ ସାରା ରାଜ୍ୟେର ବର୍ଷା ହେବ। ତେଣୁ ୨୦ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଘୋଷଣା କରିପାରେ ବୋଲି ଶ୍ରୀ ସାହୁ କହିଛନ୍ତି।
ଅପରପକ୍ଷେ ଆଜି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ଉପରେ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୪୩ଡିଗ୍ରି ଛୁଇଁଛି। ସେହିପରି ଅନୁଗୁଳରେ ୪୦.୧, ଝାରସୁଗୁଡ଼ାରେ ୪୨.୮, ସମ୍ବଲପୁରରେ ୪୨.୨, ଭବାନିପାଟଣାରେ ୪୧.୨, ବଲାଙ୍ଗୀରରେ ୪୧ଡିଗ୍ରି ରେକର୍ଡ ହୋଇଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୨୧ମିମି ବର୍ଷା ହୋଇଥିବାବେଳେ ଭବାନିପାଟଣାରେ ୧୩ମିମି, ବଲାଙ୍ଗୀରରେ ୪ମିମି, ଟିଟିଲାଗଡ଼ରେ ୨ମିମି ବର୍ଷା ହୋଇଛି।
ସେହିପରି ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇପାରେ। ରବିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ଏହାବାଦ୍ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ କିନ୍ତୁ ପୂର୍ବାହ୍ନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।