ଭୁବନେଶ୍ୱର: ଜୁନ୍ ପ୍ରଥମ ସପ୍ତାହ ପରେ ମାଲକାନଗିରିରେ ମୌସୁମୀରୁ ଆଗକୁ ବଢୁନି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଆଗକୁ ବଢିବ । ଜୁନ୍ ୧୫ ତାରିଖ ପରେ ମୌସୁମୀ ଆଗକୁ ବଢି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୮ ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଛୁଇଁଥିବା ବେଳେ ଆଉ ଆଗକୁ ବଢିପାରିନି।
ଏହାର ମୁଖ୍ୟ କାରଣ ହେଉଛି କାଳବୈଶାଖୀ ପ୍ରଭାବ କମିବା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉତ୍ତର ଉପକୂଳ ଓଡିଶାରେ ମଧ୍ୟ ଗରମ ଗୁଳୁଗୁଳି ଲଗାତାର ଜାରି ରହିଛି। ଫଳରେ ମୌସୁମୀ ମାଲକାନଗିରି ଜିଲ୍ଲାରୁ ଆଗକୁ ବଢିବା ପାଇଁ ଆବଶ୍ୟକ ବଳ ପାଇ ପାରୁନି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ।
୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ତେବେ ବୁଧବାର ଦକ୍ଷିଣ ପଶ୍ଚିମ ମୌସୁମୀ ମହାରାଷ୍ଟ୍ର ଓ ଛତିଶଗଡ଼ର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ସ୍ପର୍ଶ କରିଛି। ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କହିଛି ।