ରଜ ଭିତରେ ପହଞ୍ଚିନପାରେ ମୌସୁମୀ

କେରଳରେ ପହଞ୍ଚିବା ବିଳମ୍ବ ହେଉଛି, ୯ ଜିଲ୍ଲାରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର : ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ। ଏପର୍ଯ୍ୟନ୍ତ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇନାହିଁ। ଆସନ୍ତା ସପ୍ତାହକ ଯାଏ ବି ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ପହଞ୍ଚିବାକୁ ବିଳମ୍ବ ହେବ। ଜୁନ୍‌ ତୃତୀୟ ସପ୍ତାହ ହୋଇଯାଇପାରେ। ତେଣୁ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଏବେ କମିବାର ଆଶା ହିଁ ନାହିଁ। ଜୁନ୍‌ ପ୍ରଥମ ସପ୍ତାହ‌ରେ ବି ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୨୮ରୁ ୩୦ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇପାରେ। କିନ୍ତୁ ଏବେ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷାର ସୂଚନା ନାହିଁ। ଏପରିକି ୨ ତାରିଖ ମଧ୍ୟରେ କେରଳରେ ପ୍ରାକ୍‌ ମୌସୁମୀ ବର୍ଷାର ସମ୍ଭାବନା କମ୍‌। ଯେଉଁଥିରୁ ଜଣାପଡ଼ୁଛି ଯେ କେରଳରେ ଏଥର ମୌସୁମୀ ବର୍ଷା ବିଳମ୍ବ ‌ହେବାକୁ ଯାଉଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ଆଣ୍ଡାମାନ ସମେତ ଦକ୍ଷିଣ ପୂର୍ବ ଏସିଆ ଯଥା ମିଆଁମାର, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ସେଠାରେ ବର୍ଷା ଜାରି ରହିବ। ଭାରତର ସ୍ଥଳ ଭାଗକୁ କେ‌ବେ ଛୁଇଁବ, ତାହା ଏବେ ଜଣାପଡ଼ୁ ନାହିଁ। ମୌସୁମୀ କେରଳରେ ପହଞ୍ଚିବା ବିଳମ୍ବ ହେଉଥିବାରୁ ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷାର ସମ୍ଭାବନା କ୍ଷୀଣ। ଆସନ୍ତାକାଲିଠାରୁ ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା କମି ୩୮ଡିଗ୍ରି ପାଖାପାଖି ରହିବ। ଜୁନ୍‌ ୨ ଓ ୩ରେ ପୁଣି ୪୦ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲା। ତେବେ ୨୭ ଓ ୨୮ରେ ପୁଣି ୧ରୁ ୨ ଡିଗ୍ରି ବଢ଼ି ଜୁନ୍‌ ପହିଲା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଜୁନ୍‌ ୨ ଓ ୩ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା କମିପାରେ। ପଶ୍ଚିମ ଭାରତର ଶୁଷ୍କ ଗରମ ପବନ ରାଜ୍ୟକୁ ସିଧା ନ ଆସି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ପ୍ରବାହିତ ହେଉଛି। ତେଣୁ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ତାତି ଜାରି ରହିବ। ମେ’ ୨୯ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସବୁଠି ପାରଦ ୪୪ଡିଗ୍ରି ପାଖାପାଖି ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୬ କିମ୍ବା ୪୭ ଡିଗ୍ରି ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ହିଟ୍‌ୱେଭ୍‌ ଜାରି କରାଯାଇଛି। ତାତିରୁ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି, କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାରଦ ସାମାନ୍ୟ କମିପାରେ। ୩୦ ତାରିଖଠାରୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା କମିବ। ଗୁଳୁଗୁଳିରୁ ବି ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଆଜି ବି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ତାଳଚେରରେ ସର୍ବାଧିକ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୪ ଡିଗ୍ରି ଲେଖାଏଁ, ବଲାଙ୍ଗୀରରେ ୪୩.୮, ସୋନପୁରରେ ୪୩.୬, ହୀରାକୁଦରେ ୪୩.୧, ଝାରସୁଗୁଡ଼ାରେ ୪୩, ଭବାନୀପାଟଣାରେ ୪୨.୬, ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୧ ଓ ଭୁବନେଶ୍ବରରେ ୩୯.୨ ଡିଗ୍ରି ରେକର୍ଡ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବରରେ ୨୬.୬ମିମି ବର୍ଷା ହୋଇଥିବା ବେଳେ ପାରାଦୀପରେ ୨୩.୫, ବାରିପଦାରେ ୧୬.୪, ସୁନ୍ଦରଗଡ଼ରେ ୪ ଓ କେନ୍ଦୁଝରରେ ଗୋଟିଏ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର