ଭୁବନେଶ୍ବର : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବାରେ ବିଳମ୍ବ ହେଉଥିଲା। କିନ୍ତୁ ଏବେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି। ଲଘୁଚାପ ହେଲେ ରାଜ୍ୟରେ ୨୦ତାରିଖ ବେଳକୁ ଭଲ ବର୍ଷା ହେବ। ଆଉ ବାତ୍ୟା ‘ବାୟୁ’ର ପ୍ରଭାବ ରହିବନି। ଏହାବାଦ୍ ଉତ୍ତର-ପୂର୍ବ ଭାରତରେ ସକ୍ରିୟ ହୋଇଥିବା ମୌସୁମୀ ବାୟୁ ଏବେ ଦକ୍ଷିଣ ଦିଗରେ ଗତି କରୁଛି। ତେଣୁ ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ବାଟ ଫିଟିଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏହା ଆସନ୍ତା ତିନିରୁ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ। ଆକାଶରେ ଏବେ ପର୍ଯ୍ୟାପ୍ତ ମେଘ ବାଦଲ ଥିବାରୁ ନିଶ୍ଚିତ ବର୍ଷା ହେବ। ଘୂର୍ଣ୍ଣିବଳୟ ବି ଲଘୁଚାପ ହେବା ପାଇଁ ଦାନା ବାନ୍ଧୁଛି। ତେଣୁ ମୌସୁମୀ ୪ରୁ ୫ଦିନ ଭିତରେ ଓଡ଼ିଶା ଛୁଇଁବ।

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି। ତାଳଚେରରେ ସର୍ବାଧିକ ୪୮ମିମି ବର୍ଷା ହୋଇଥିବାବେଳେ ବାଲେଶ୍ବରରେ ୨୪.୬ମିମି, ଗୋପାଳପୁରରେ ୧୪.୪ମିମି, ସୋନପୁରରେ ୨୭.୪ମିମି, ଦାରିଙ୍ଗବାଡ଼ିରେ ୧୩ମିମି, ବର୍ଷା ହୋଇଛି। ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନ‌େର ଘଡ଼ଘଡ଼ି ସହ ବର୍ଷା ହେବ। ଦିନତମାମ୍ ଆକାଶ ମେଘୁଆ ରହିବ। ୨୨ତାରିଖ ପରେ ପାଗ ସାମାନ୍ୟ ପରିବର୍ତ୍ତନ ହୋଇପାରେ।

ଅପରପକ୍ଷେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ମାଲକାନଗିରିକୁ ଛାଡ଼ି ବାକି ସବୁ ସ୍ଥାନରେ ପାରଦ ୪୦ଡିଗ୍ରି ତଳେ ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୨ଡିଗ୍ରି ରେକର୍ଡ ହୋଇଛି।