ଭୁବନେଶ୍ବର : ଦେଢ଼ ସପ୍ତାହ ହେଲା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏ କେତେକ ସ୍ଥାନରେ ମଧ୍ୟମ ଓ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ଆଜି ବର୍ଷା ହୋଇଯାଇଛି। ଲଘୁଚାପବଳୟ ସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଅନ୍ୟପଟେ ମୌସୁମୀ ଟ୍ରଫ୍-ଲାଇନ୍ ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରିସ୍ଥ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଛି। ପାଣିପାଗର ଏହିସବୁ ନିୟାମକ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଖାଲି ସେତିକି ନୁହେଁ, ଆସନ୍ତା ୧୫ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଧୀରେଧୀରେ ବର୍ଷାର ବିସ୍ତୃତି ବଢ଼ିବ।
/sambad/media/post_attachments/wp-content/uploads/2022/07/rain-m30.jpg)
ପାଣିପାଗ କେନ୍ଦ୍ର କହିଛି, ଆଜି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ପୁରୀ, ଜଗତସିଂହପୁର, ଅନୁଗୁଳ ଓ କଟକ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ୧୨ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୫ ତାରିଖ ଯାଏ ଏହି ଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ଯାଉଛି। ପ୍ରଥମ ଲଘୁଚାପଟି ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ରହିବା ଦ୍ବାରା ୧୧ ରୁ ୧୩ ତାରିଖ ଯାଏ ସାରା ରାଜ୍ୟରେ ପ୍ରତିଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଦ୍ବିତୀୟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ। ଅଧିକ ଘନୀଭୂତ ହେବା ୧୪ ତାରିଖରେ ଅବପାତରେ ପରିଣତ ହେବ। ଓଡ଼ିଶା ଉପରେ ୨ ଦିନ ରହିବା ପରେ ଉତ୍ତର-ପଶ୍ଚିମ ବା ପଶ୍ଚିମ ଆଡ଼େ ଗତି କରିବ। ଏହା ପ୍ରଭାବରେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ୧୭ ତାରିଖ ଆଡ଼କୁ ବର୍ଷା କମିଯିବ।
/sambad/media/post_attachments/wp-content/uploads/2022/06/rain-m17.jpg)
ଆକଳନ କରାଯାଉଛି କି, ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହେବ। ସପ୍ତାହକରେ ବର୍ଷା ୨୦୦ମିମିରୁ ଅଧିକ ଓ ସ୍ଥାନେ ସ୍ଥାନେ ୩୦୦ ମିମି ହୋଇପାରେ। ୧୪ରୁ ୧୬ ତାରିଖ ୩ ଦିନ କେତେକ ସ୍ଥାନରେ ଅତିପ୍ରବଳ ଲଗାଣ ବର୍ଷା ହେବ। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍ ବର୍ଷା ହେବ। ବାକି ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସପ୍ତାହକର ସମୁଦାୟ ବର୍ଷା ୧୫୦ରୁ ୨୦୦ମିମି ଓ ସ୍ଥାନେ ସ୍ଥାନେ ଅଧିକ ହୋଇପାରେ। ୧୫ ଓ ୧୬ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକ ଫୁଲିବାର ସମ୍ଭାବନା ରହିଛି। ଅତ୍ୟଧିକ ବର୍ଷା ସମ୍ଭାବନା ଥିବାରୁ ୧୭ତାରିଖ ପର୍ଯ୍ୟନ୍ତ ବୁଣାବୁଣି କାମ ନ କରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Monsoon.jpg)