ମୌସୁମୀ ପୁଣି ସକ୍ରିୟ : ୪ ଜିଲ୍ଲାରେ ବର୍ଷିଲା
ଭୁବନେଶ୍ୱର : ୧୩ ଦିନ ଗାଏବ୍ ହୋଇଥିବା ମୌସୁମୀ ପୁଣିଥରେ ଓଡ଼ିଶା ଫେରିଛି। ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଠାଏ ଠାଏ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଉ କିଛି ସ୍ଥାନରେ କୋହଲା ପାଗ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୌସୁମୀ ସକ୍ରିୟ ହେବା ପରେ ଗତ ୨୪ ଘଣ୍ଟାରେ ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗଠାରେ ସର୍ବାଧିକ ୧୫ ସେ.ମି. ବର୍ଷା ହୋଇଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ୭ ସେ.ମି. ବର୍ଷା ହୋଇଥିବା ବେଳେ ପାରାଦ୍ୱୀପରେ ୭, ମୟୂରଭଞ୍ଜ ଜିଲ୍ଲା ବେତନଟି ଓ ଚନ୍ଦନପୁରରେ ୪ ସେ.ମି. ଲେଖାଏ, ଜଗତ୍ସିଂହପୁରର ଆଳିପିଙ୍ଗଳ, ବାଲିକୁଦା, ପୁରୀ ଜିଲ୍ଲାର ନିମାପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଗରଦପୁର, ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ୩ ସେ.ମି. ଲେଖାଏ ବର୍ଷା ହୋଇଥିବା ସୂଚନା ମିଳିଛି।
କଟକରେ ୨୭.୩ ମି.ମି., ପୁରୀରେ ୧୯.୬, ଚାନ୍ଦବାଲିରେ ୧୭ ମି.ମି. ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମ ଦିଗରେ ରହିଛି। ତାହା ପ୍ରଭାବରେ ଜୁନ୍ ୨୮ ତାରିଖ ଯାଏ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଫଳରେ ଉପକୂଳ, ଉତ୍ତର, ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ସମେତ ପୁରୀ, ଖୋର୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ବେଗରେ ପବନ ହେବ। ତେଣୁ ସମୁଦ୍ର ମଧ୍ୟକୁ ଯିବା ସମୟରେ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଥିଲେ ମଧ୍ୟ ତାହାର ପ୍ରଭାବ ସେତେଟା ରହିବନି। ମୌସୁମୀ ପ୍ରବାହରେ ଯେଉଁଭଳି ବର୍ଷା ହେବା କଥା ହେବନି। ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। ବଜ୍ରପାତର ଆଶଙ୍କା ମଧ୍ୟ ରହୁଛି।