ଏ ବର୍ଷ ଅଧିକ ବର୍ଷା : କେରଳ ଛୁଇଁଲା ମୌସୁମୀ, ଓଡ଼ିଶାକୁ ବିଳମ୍ବ ହେବ

୧୧ରୁ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ବର : ପୂର୍ବାନୁମାନ ଅନୁଯାୟୀ ଆଜି ଜୁନ୍‌ ପହିଲାରେ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥିସହିତ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଭଲ ବର୍ଷା ହେବ। ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଓଡ଼ିଶାକୁ ମୌସୁମୀ ପ୍ରବେଶରେ ସାମାନ୍ୟ ବିଳମ୍ବ ହୋଇପାରେ, କିନ୍ତୁ ଭଲ ବର୍ଷା ହେବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ କେରଳକୁ ଠିକ୍‌ ସମୟ‌ରେ ମୌସୁମୀ ପ୍ରବେଶ କରିଥିଲେ ବି ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ। ପାଣିପାଗର ବର୍ତମାନର ସ୍ଥିତି ଉପସ୍ଥାପନ କରି ଶ୍ରୀ ଦାସ କହିଛନ୍ତି, କେରଳ ଉପକୂଳ ଦୂରରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୩ ତାରିଖରେ ମହାରାଷ୍ଟ୍ର ଓ ଗୁଜରାଟ ମୁହାଁଇବା ବେଳେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ଯଦି ବାତ୍ୟାର ରୂପ ନିଏ ଏହାର ନାମ ‘ନିସର୍ଗ’ ରହିବ। ଯାହା ଆକଳନ କରାଯାଉଛି, ଏହି ବାତ୍ୟା ପ୍ରଭାବରେ ହିଁ ‌ଓଡ଼ିଶାକୁ ମୌସୁମୀ ପ୍ରବେଶ ବିଳମ୍ବିତ ହୋଇପାରେ। ଗତ ବର୍ଷ ମଧ୍ୟ ଏହି ଭଳି ଏକ ବାତ୍ୟା ‘ବାୟୁ’ର ପ୍ରଭାବ ଯୋଗୁଁ ଓଡ଼ିଶାକୁ ୧୦ ଦିନ ବିଳମ୍ବରେ ଅର୍ଥାତ୍‌ ୨୧ ଜୁନ୍‌ରେ ମୌସୁମୀର ଆଗମନ ହୋଇଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ କେନ୍ଦ୍ରୀୟ ଭାରତରେ ୧୦୨ ପ୍ରତିଶତ ବର୍ଷା ହେବ। ଯାହାକି ସ୍ବାଭାବିକଠାରୁ ଅଧିକ। ଓଡ଼ିଶା କେନ୍ଦ୍ରୀୟ ଭାରତର ଅଂଶ ହୋଇଥିବାରୁ ଏଠାରେ ମଧ୍ୟ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ।

Zee News

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ଅର୍ଥାତ୍‌ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ଅର୍ଥାତ୍‌ ହାରାହାରି ୯୬%ରୁ ୧୦୨% ବର୍ଷା ହୋଇପାରେ। ଉତ୍ତର-ପଶ୍ଚିମ ଭାରତରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିବ। ମୌସୁମୀରେ ଦେଶର ଏହି ଭାଗରେ ବର୍ଷା ପ୍ରାୟ ୧୦୭ ପ୍ରତିଶତ ହେବ। ସେହିପରି କେନ୍ଦ୍ରୀୟ ଭାରତରେ ୧୦୩%, ଉତ୍ତର-ପୂର୍ବ ଭାରତରେ ୯୭% ମୌସୁମୀ ବର୍ଷା ହେବ। ଭାରତରେ ମୌସୁମୀରେ ବର୍ଷାର ସ୍ବାଭାବିକ ପରିମାଣ ୮୦ ସେଣ୍ଟିମିଟର ହୋଇଥିବା ବେଳେ ଚଳିତ ବର୍ଷା ପ୍ରାୟ ୮୮ ସେଣ୍ଟିମିଟର ହେବାର ସମ୍ଭାବନା ରହିଛି।

ଭାରତୀୟ ଭୂ-ବିଜ୍ଞାନ ମନ୍ତ୍ରଣା‌ଳୟ ପକ୍ଷରୁ ପ୍ରକା‌ଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୦୨ ପ୍ରତିଶତ ବର୍ଷ ହେବ। ଯାହାକି ସ୍ବାଭାବିକଠାରୁ ଅଧିକ। ଉତ୍ତର ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବ। ମଧ୍ୟ ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବ ଓ ଉତ୍ତରପୂର୍ବ ଭାରତ‌ରେ ଦେଶର ଅନ୍ୟ ସ୍ଥାନ ଅପେକ୍ଷା କମ୍‌ ବର୍ଷା ହେବାର ଆଶଙ୍କା ରହିଛି।

New Indian Express

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ମଧ୍ୟମରୁ ଭାରି ବର୍ଷା ହେବ। ୧୧ ତାରିଖ ଦିନ ସମଗ୍ର ଉପକୂଳ ଓ ୧୨ ତାରିଖ ଦିନ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ମିଆଁମାର୍‌ ସଂଲଗ୍ନ ବଙ୍ଗୋପସାଗ‌ରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ‌ଯୋଗୁଁ ଏହି ବର୍ଷା ହେବାର ସମ୍ଭାବନା ଅଛି। ତେବେ ବର୍ତ୍ତମାନ ଆକଳନ କରାଯାଉଛି ଯେ ଆରବ ସାଗରରେ ସୃଷ୍ଟି ସାମ୍ଭାବ୍ୟ ‘ନିସର୍ଗ’ ବାତ୍ୟା ଯୋଗୁଁ ବଙ୍ଗୋପସାଗରର ଘୂର୍ଣ୍ଣିବଳୟଟି ଦୁର୍ବଳ ରହିବ। ତେବେ ଏହାକୁ ରାଜ୍ୟର ପ୍ରାକ୍‌ ମୌସୁମୀ ବର୍ଷା କୁହାଯିବ। କିନ୍ତୁ ପ୍ରକୃତ ମୌସୁମୀ ବର୍ଷା ପାଇଁ ମୌସୁମୀ ବାୟୁ ସକ୍ରିୟ ହେବା ଦରକାର। ବର୍ତ୍ତମାନ୍‌ ଏମ୍‌ଜେଓ ଅନୁକୂଳ ଅଛି। ଯାହା ଫଳରେ ଦକ୍ଷିଣ ପୂର୍ବ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ଦ୍ବାରା ସଂଶୋଧିତ ତାଲିକା ଅନୁଯାୟୀ ଉପକୂଳରେ ଜୁନ୍‌ ୧୨ ତାରିଖ ଏବଂ ଜୁନ୍‌ ୧୫ ତାରିଖ ସୁଦ୍ଧା ସାରା ଓଡ଼ିଶାରେ ମୌସୁମୀ ଛୁଇଁବା କଥା। କିନ୍ତୁ ଚଳିତ ବର୍ଷ ଏହା କିଛି ଦିନ ବିଳମ୍ବିତ ହୋଇପାରେ। ମୌସୁମୀ ୪ ମାସରେ ଜୁନ୍‌ରୁ ସେ‌ପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ବର୍ଷା ସ୍ବାଭାବିକଠାରୁ ଅଧିକ ହେବ। ଜୁନ୍‌ ଜୁଲାଇ ସ୍ବାଭାବିକ ଥିବା ବେଳେ ଅଗଷ୍ଟ ସେପ୍ଟେମ୍ବରରେ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ଅଛି। ଲା-ନିନା ଅକ୍ଟୋବର ମାସରେ ୪୫% ରହିବାର ଆକଳନ କରାଯାଇଛି। ଏଣୁ ଅକ୍ଟୋବର ମାସ ବି ଭଲ ବର୍ଷା ହେବ। ଫଳତଃ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟରେ ମୌସୁମୀର ଅବଧିଅଧିକ ରହିବ। ତେଣୁ ଡ. ପଶୁପାଳକ ପରାମର୍ଶ କରିଛନ୍ତି, ଯେ ମାର୍କେଟରେ ଅଧିକ ଚାହିଦା ଥିବା ଭଳି ୧୪୫ ଦିନିଆ ଦୀର୍ଘ ଅବଧି ଲମ୍ବା, ସରୁ ଧାନ ଖାଲ ଜମିରେ ଏବଂ ନିମ୍ନ ମଧ୍ୟମ କିସମ ଜମିରେ କଲେ ଚାଷୀମାନେ ଲାଭବାନ ହେବେ।

ସମ୍ବନ୍ଧିତ ଖବର