ମୌସୁମୀ‌‌ରେ ଭିଜିଲା ସାରା ଓଡ଼ିଶା; ୪ଦିନ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ମୌସୁମୀ ବର୍ଷାରେ ସୋମବାର ଦିନ ସାରା ରାଜ୍ୟ ଭିଜିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଆସନ୍ତା ୨୪ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା‌ ଜାରି କରିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିବ। ୨୨ ତାରିଖ ଦିନ ସୋନପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳ ଏବଂ ୨୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ‌କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ସୋମବାର ଦିନ ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ମେଘୁଆ ରହିଥିଲା। ଅପରାହ୍‌ଣରୁ ବର୍ଷା ଆରମ୍ଭ ‌ହୋଇଯାଇଥିଲା। ଆଜି ମଧ୍ୟ ରାଜଧାନୀର ପାଗ ମେଘୁଆ ଓ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ‌ହୋଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ାରେ ମୌସୁମୀ ବାୟୁ ଆଂଶିକ ଭା‌ବେ ସକ୍ରିୟ ହୋଇଥିଲା।

ସମ୍ବନ୍ଧିତ ଖବର