ଓଡ଼ିଶା‌ରେ ମୌସୁମୀ ଦୁର୍ବଳ

ଭୁବ‌ନେଶ୍ବର : ଓଡ଼ିଶାରେ ମୌସୁମୀ ଦୁର୍ବଳ ଥିବାରୁ ଏବେ ଅଧିକ ବର୍ଷା ହେବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଅଳ୍ପ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନ ହେଲେ ଆସନ୍ତା ୪ ଦିନ ଲାଗି ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ୯ ଓ ୧୦ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ନ ହେଲେ ବାକି ସ୍ଥାନଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ସେଭଳି ବର୍ଷା ହେବ ନାହିଁ। ଜୁଲାଇ ୮ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ପରିମାଣ ୮ ପ୍ରତିଶତ ଅଧିକ ରହିଛି। ଜୁନ୍‌ ୧ରୁ ଜୁଲାଇ ୮ ତାରିଖ ମଧ୍ୟରେ ଓଡ଼ିଶାରେ ୩୨୧.୯ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୨୯୭.୫ ମିମି ବର୍ଷା ହୋଇଥା‌ଏ। ଗତ ୨୪ ଘଣ୍ଟା ମଧ୍ୟରେ ବହୁ କମ୍‌ ପରିମାଣର ବର୍ଷା ହୋଇଛି। ଜିଲ୍ଲା ଅନୁଯାୟୀ ଦେଖିଲେ ମାଲକାନଗିରିରେ ସ୍ବାଭାବିକଠାରୁ ୬୦%ରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ କୋରାପୁଟରେ ସ୍ବାଭାବିକଠାରୁ ୨୦ %ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ୧୭ଟି ଜିଲ୍ଲାରେ ସ୍ବାଭାବିକ ପରିମାଣର ବର୍ଷା ହୋଇଛି। ତେବେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, କଟକ ଜିଲ୍ଲା ସମେତ ସୋନପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ସ୍ବାଭାବିକଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଗତ ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୪୪ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୩୬, ତାଳଚେରରେ ୨୦, ଭୁବନେଶ୍ବରରେ ୧୪.୨ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର