ମୌସୁମୀ ସକ୍ରିୟ ପାଇଁ ପାଗ ସୁହାଉଛି, ଏବେ ଜାରି ରହିବ ପ୍ରାକ୍‌-ମୌସୁମୀ ବର୍ଷା

ଭୁବନେଶ୍ବର : ଗତକାଲି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଶୁକ୍ରବାର ଦିନ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଯାଇଛି। ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଏହି ବର୍ଷା ମୌସୁମୀକୁ ଅଧିକ ସକ୍ରିୟ କରିବାରେ ସାହାଯ୍ୟ କରିବ ଓ ମୌସୁମୀକୁ ଆଗକୁ ବଢ଼ିବାରେ ବଳ ଯୋଗାଇବ। ଫଳରେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଆଉ କିଛି ସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ମଧ୍ୟ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନ‌ାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୩ ଦିନରେ ମଧ୍ୟପ୍ରଦେଶର କିଛି ଅଧିକ ଅଞ୍ଚଳ, ବିଦର୍ଭ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମ-କେନ୍ଦ୍ରୀୟ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରର ସମ୍ପୂର୍ଣ୍ଣ ଅଞ୍ଚଳ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ଆଉ କିଛି କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ରହିଛି। ଏହି ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ମଧ୍ୟ ଜାରି ରହିବ। ଏହି ସମୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆକାଶ ମୁଖ୍ୟତଃ ମେଘୁଆ ରହିବ। ପାଗ ଥଣ୍ଡା ରହିବ। ୧୯ ଓ ୨୦ ତାରିଖ ଆଡ଼କୁ ବର୍ଷାର ବିସ୍ତୃତି ବଢ଼ିବ। ଶୁକ୍ରବାର ଭଳି ଶନିବାର ମଧ୍ୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରି ମଧ୍ୟରେ ରହିବ। ଏଥିସହ ଯାଜପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର