ଜାରି ରହିଛି ପ୍ରାକ୍‌-ମୌସୁମୀ ବର୍ଷା, ୨ ଦିନରେ ଆଉ କିଛି ଅଞ୍ଚଳ ଛୁଇଁବ ମୌସୁମୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଗ ମେଘୁଆ ରହୁଥିବା ବେଳେ ପ୍ରାକ୍‌-ମୌସୁମୀ ବର୍ଷା ଜାରି ରହିଛି। ଫଳରେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଓଡ଼ିଶା ଆଡ଼କୁ ବାଟ କଢ଼େଇ ଆଣୁଛି। ଆସନ୍ତା ୨ ଦିନରେ ରାଜ୍ୟର ଆଉ କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ସୂଚନା ମୁତାବକ, ଆଜି ସମ୍ପୂର୍ଣ୍ଣ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଛି। ଆସନ୍ତା ୨ରୁ ୩ ଦିନରେ ଆନ୍ଧ୍ରପ୍ରଦେଶ ଓ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରର ଅବଶିଷ୍ଟ ଅଞ୍ଚଳ ସମେତ ଛତିଶଗଡ଼, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ନେଇ ଅନୁକୂଳ ବାତାବରଣ ରହିଥିବା ସୂଚନା ମିଳିଛି।

The Bangkok Post

ତେବେ ଏହା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ଜାରି ରହିବ। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଧା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୨୦ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୨୧ ତାରିଖ ଦିନ ଉପକୂଳର ଅଧିକାଂଶ ଜିଲ୍ଲା ଯଥା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ରହିଛି। ବର୍ଷା ଯୋଗୁଁ ରାଜ୍ୟରେ ପାଗ ଥଣ୍ଡା ରହିବ। ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର