ଝାରସୁଗୁଡ଼ା: ମୌସୁମୀ ଆସିବାକୁ ଆହୁରି ଦେଢ଼ମାସରୁ ଅଧିକ ବାକି ରହିଛି। କିନ୍ତୁ ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ‘ଶୁଖାସୋଢ଼ା’ରେ ନଦୀଶଯ୍ୟା ଏବେଠୁ ଶୁଖିଗଲାଣି। ୭ ବର୍ଷ ତଳେ ଯେଉଁ ‘ଶୁଖାସୋଢ଼ା’ରୁ ଖୋଦ୍ ମୁଖ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ ସେହି ସ୍ଥାନରେ ମହାନଦୀରେ ମୁନ୍ଦିଏ ପାଣି ନାହିଁ। ଶୁଖାସୋଢ଼ାକୁ ଦେଖିଲେ ମରୁଭୂମିର ଭ୍ରମ ସୃଷ୍ଟି ହେଉଥିବା ବେଳେ ନଦୀ ଉପରେ ନିର୍ଭରଶୀଳ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଗତ ବର୍ଷମାନଙ୍କରେ ଏହି ସ୍ଥାନରେ କିଛି କିଛି ପାଣି ରହୁଥିବା ବେଳେ ନଦୀରେ ଅନ୍ୟୂନ ଗୋଟିଏ ଧାର ପାଣି ଆସୁଥିଲା। କିନ୍ତୁ ଚଳିତ ବର୍ଷ ସେତକ ବି ନାହିଁ।
ମହାନଦୀ ତଳମୁଣ୍ଡ ଅଞ୍ଚଳର ଚାଷୀ ଖରାଦିନେ ନଦୀର ଅଳ୍ପ ପାଣିକୁ ବିନିଯୋଗ କରି ରବି ଫସଲ କରୁଥିଲେ। ସେପଟେ ମତ୍ସ୍ୟଜୀବୀ ନଦୀରୁ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଏବର୍ଷ ନଦୀ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବାରୁ ଚାଷ ପାଇଁ ପାଣି ମିଳୁନି କି ମତ୍ସ୍ୟଜୀବୀଙ୍କୁ ମାଛ ମିଳୁନି। ସ୍ଥିତି ଏପରି ହୋଇଛି ଯେ ମାଛମରା ଡଙ୍ଗାଗୁଡ଼ିକ ଗତ କିଛିଦିନ ହେବ ନଦୀକୂଳରେ ବନ୍ଧା ହୋଇ ପଡ଼ିରହିଛି। ଜିଲ୍ଲାର ଲଖନପୁର ବ୍ଲକ୍ ଅଞ୍ଚଳରେ ଚାଷକାର୍ଯ୍ୟରୁ ନେଇ ପାନୀୟଜଳ, ମତ୍ସ୍ୟ ଉତ୍ପାଦନ, ପର୍ଯ୍ୟଟନ ସବୁ କିଛି ମହାନଦୀ ଉପରେ ନିର୍ଭରଶୀଳ। କିନ୍ତୁ ମହାନଦୀ ଶୁଖିଲା ପଡ଼ିଯିବା ପରେ ସ୍ଥାନୀୟ ଲୋକେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ମହାନଦୀର ‘ଶୁଖାସୋଢ଼ା’ ତଳକୁ କାଁଭାଁ ଗୋଟିଏ ଦୁଇଟି ସ୍ଥାନରେ କିଛି ପାଣି ରହିଥିବା ବେଳେ ଦିନ କେଇଟାରେ ସେଗୁଡ଼ିକ ବି ଶୁଖିଯିବା ଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ଛତିଶଗଡ଼ କଲ୍ମା ବ୍ୟାରେଜ୍ ନିର୍ମାଣ କରିବା ପୂର୍ବରୁ ‘ଶୁଖାସୋଢ଼ା’ରେ ବର୍ଷତମାମ୍ ପ୍ରାୟ ୩୦ ଫୁଟ ଗଭୀରତାର ଜଳସ୍ରୋତ ରହୁଥିଲା। କିନ୍ତୁ କଲ୍ମା ବ୍ୟାରେଜ୍ ନିର୍ମାଣ ପରେ ମହାନଦୀର ଜଳପ୍ରବାହରେ ରୋକ୍ ଲାଗିଯାଇଛି। କଲ୍ମା ଏହାର ୬୬ଟି ଗେଟ୍ ବନ୍ଦ କରିଦେବା ପରେ ‘ଶୁଖାସୋଢ଼ା’ର ସ୍ଥିତି ବଦଳିଯାଉଛି। ଗୋଟିଏ ପାର୍ଶ୍ବରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଆଉ ଗୋଟିଏ ପାର୍ଶ୍ବରେ ପାଣି ପାଇଁ ହାହାକାର ସ୍ଥିତି ସୃଷ୍ଟି ହେଉଛି। ଏହା ଯେ କେବଳ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଚିତ୍ର ନୁହେଁ, ଅପରନ୍ତୁ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ଅନୁରୂପ ସ୍ଥିତି ସୃଷ୍ଟି ହେଲାଣି। ହୀରାକୁଦ ଜଳଭଣ୍ଡାରକୁ ବି ଜଳ ପ୍ରବେଶ ଏକପ୍ରକାର ବନ୍ଦ ହୋଇସାରିଲାଣି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଏହାର ଅବଧିକୁ ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ଏବେ ଉଭୟ ଓଡ଼ିଶା, ଛତିଶଗଡ଼ ଏବଂ କେନ୍ଦ୍ରରେ ବିଜେପି ସରକାର ରହିଛି। ତେଣୁ ସରକାର ଚାହିଲେ କୋର୍ଟ ବାହାରେ ଏହି ମାମଲାର ଫଇସଲା କରି ମହାନଦୀକୁ ସୁରକ୍ଷା ଦିଆଯାଇପାରନ୍ତା ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।