ଭୁବନେଶ୍ବର: ସ୍ବାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ ବର୍ଷା। ନିଅଣ୍ଟିଆ ବର୍ଷା ସୃଷ୍ଟି ହୋଇଥିବା ଜିଲ୍ଲାଗୁଡ଼ିକ ସଂଖ୍ୟା କମିବାରେ ଲାଗିଛି। ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ କୋରାପୁଟ, ନୂଆପଡ଼ା, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁରୀ ସମେତ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି। ଜୁନ୍ ପହିଲାରୁ ଆଜି ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୫୧୫.୬ ମିମି ବର୍ଷା ହେବା କଥା। ମାତ୍ର ୪୭୫.୩ ମିମି ବର୍ଷା ହୋଇଛି, ଯାହାକି ୮% କମ୍।
ଆସନ୍ତା ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଅଗଷ୍ଟ ୩ ଯାଏଁ ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସୋମବାର ସକାଳ ମଧ୍ୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ନୟାଗଡ଼ ଜିଲ୍ଲା ରଣପୁରରେ ୧୧୨.୬ ମିମି ବର୍ଷା ହୋଇଛି।