ବୋଲଗଡ଼ : ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା ଯୋଗୁ ଶୁଖିଲା ପଡ଼ିଛି ଜମି, ଧାନଚାଷ ନେଇ ଆଶଙ୍କାରେ ଚାଷୀ

ବୋଲଗଡ଼ : ଚଳିତ ବର୍ଷ ଧାନ ଚାଷ ପାଇଁ ନିଅଣ୍ଟିଆ ବର୍ଷା ଯୋଗୁ ଶ୍ରାବଣ ମାସରେ ବି ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଧାନ ଜମି ଶୁଖିଲା ପଡ଼ିଛି । ଏପରି ବର୍ଷାଭାବ ଏବର୍ଷ ଚାଷୀମାନଙ୍କ ମନରେ ଧାନଚାଷ ନେଇ ଆଶଙ୍କା ସୃଷ୍ଟି କଲାଣି । ଠିକ୍‌ ସମୟରେ ଆବଶ୍ୟକ ପରିମାଣର ବର୍ଷା ନହେବା ଧାନ ଚାଷ ପାଇଁ ବାଧକ ସାଜିଛି । ଫଳରେ ବେଉଷଣ ଓ ତଳି ରୁଆ କାର୍ଯ୍ୟ ବିଳମ୍ବ ହେଉଛି। ସେହିପରି କେତେକ ସ୍ଥାନରେ ତଳି ଜିମିରେ ମଧ୍ୟ ପାଣି ଶୁଖି ଯିବାରୁ ଚାଷୀମାନେ ପମ୍ପ ଦ୍ୱାରା ତଳି ଜମିକୁ ପାଣି ବୁହାଇ ତଳି ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ତ ଆଉ କେତକ ଚାଷୀ ତଳିଘେରା ପ୍ରସ୍ତୁତି ପାଇଁ ବର୍ଷାକୁ ଅନାଇ ବସିଛନ୍ତି ।

ବିଶେଷ ଭାବେ ବୋଲଗଡ଼ ବ୍ଲକ୍‌ର ଚାଷୀମାନେ ଚାଷ ପାଇଁ ବର୍ଷା ଜଳକୁ ଚାତକ ଭଳି ଅପେକ୍ଷା କରିଥାନ୍ତି । ଖରିଫ ରୁତୁରେ ଏଠାକାର ଚାଷୀ ଧାନ ଫସଲକୁ ମୁଖ୍ୟ ବେଉଷା ଭାବେ ଗ୍ରହଣ କରିଥାନ୍ତି । ମାତ୍ର ଏ ବର୍ଷ ଜୁନ ମାସ ପରେ ଜୁଲାଇ ମାସ ଅଧା ହୋଇଥିଲେ ମଧ୍ୟ ମୈାସୁମୀ ବର୍ଷା ଚାଷ ପାଇଁ ପାଣିର ଚାହିଦା ମେଣ୍ଟାଇ ପାରିନାହିଁ । ତେବେ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ସୂଚନା ଥିଲା । ଫଳରେ ଚାଷୀ ମନରେ ଧାନ ଚାଷ ପାଇଁ ଏକ ସକାରତ୍ମକ ଆଶା ସଂଚାର ହୋଇଥିଲା। ମାତ୍ର ଏଯାବତ ସମୟାନୁସାରେ ଆବଶ୍ୟକ ପରିମାଣର ବର୍ଷା ହେଉନାହିଁ । ତେଣୁ ପମ୍ପ୍‌ ଦ୍ବାରା ଜଳ ସେଚନ କରି କେତକ ଚାଷୀମାନେ ତଳି ଘେରା ପ୍ରସ୍ତୁତି କରିଥିଲେ ମଧ୍ୟ ସେମାନେ ତଳି ରୋଇବା ପାଇଁ ଅପେକ୍ଷା କରି ବସିଛନ୍ତି। ବୁଣାଜମିା ବେଉଷଣ ପାଇଁ ମଧ୍ୟ ଚାଷୀମାନେ ବର୍ଷାକୁ ଅନାଇ ବସିଛନ୍ତି । ନିଅଣ୍ଟିଆ ବର୍ଷା ଯୋଗୁ କେତେକ ଗହୀର ଜମିରେ ଗୋରୁ ଚରୁଥିବାର ଦେଖିବାକୁ ମିଳୁଛି । ଆଗକୁ ଯଦି ବର୍ଷାରେ ବିଳମ୍ବ ହୁଏ ତାହା ହେଲେ ଚାଷକାର୍ଯ୍ୟ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି।

ସୂଚନା ଥାଉକି ଚଳିତ ବର୍ଷ ବ୍ଲକରେ ପ୍ରାୟ ୧୪ହଜାର ୪ଶହ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର