୪୮ ଘଣ୍ଟାରେ ରାଜ୍ୟର ସବୁ ଜାଗାକୁ ଛୁଇଁବ ମୌସୁମୀ
ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ। ମୌସୁମୀ ସାଙ୍ଗକୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରବିବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ। ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ଯିବା ସମୟରେ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲଘୁଚାପ ବାଂଲାଦେଶମୁହାଁ ହୋଇଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ୧୧ରୁ ୧୩ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ମୌସୁମୀ ଆସିଲେ ବ୍ୟାପକ ଅଞ୍ଚଳରେ ବର୍ଷା ହୁଏ। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ଲଘୁଚାପ ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବର୍ଷା ହେବ। ଓଡ଼ିଶାରେ ସେଭଳି ପ୍ରଭାବ ରହିବ ନାହିଁ। ରାଜ୍ୟର ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭଲ ବର୍ଷା ହେବ। ଆସନ୍ତା ୫ ଦିନ ଭିତରେ ୭୦ରୁ ୮୦ ମି.ମି. ବର୍ଷା ହୋଇପାରେ। ଭଦ୍ରକରୁ ପୁରୀ ମଧ୍ୟରେ ୫ ଦିନରେ ୫୦ ମି.ମି. ବର୍ଷା ହେବ। ଯଦି କୌଣସି ଲଘୁଚାପ ନ ହୁଏ ତେବେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୧୫ ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ରହିବ। କିନ୍ତୁ ୧୬ ତାରିଖରେ ତାପମାତ୍ରା ବଢ଼ିବ। ୧୮ ତାରିଖ ପରେ ଭଲ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୩୦.୪ ମି.ମି. ବର୍ଷା ହୋଇଥିବା ବେଳେ ସୋନପୁରରେ ୩୧.୪, ଗୋପାଳପୁରରେ ୨୯.୨, ବାଲେଶ୍ୱରରେ ୨୮.୮, ଦାରିଙ୍ଗବାଡ଼ିରେ ୧୭, ପୁରୀରେ ୧୨ ମି.ମି. ବର୍ଷା ହୋଇଛି। ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ତଳକୁ ଖସିଆସିଛି।