ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ବିଧାନସଭା ଅଧିବେସନ ପାଇଁ ପାସ୍ ମିଳିଥିବା ସାମ୍ବାଦିକ ଓ କ୍ୟାମେରାମ୍ୟାନ ମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି । ଏଥିରେ ମୋଟ ୭୫୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭ ଜଣଙ୍କ ନମୁନାରେ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମୋଟ ୪୦ ଜଣ ବିଧାୟକ ଥିବା ବେଳେ ଏହି ତାଲିକାରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି ।

Advertisment

ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ଏହା ସହ ବିଧାନସଭା ଭିତରେ ସବୁ ବିଧାୟକଙ୍କ ଟେବୁଲ ଆଗରେ ଏକ କାଚର ପ୍ଲେଟ୍ ଲଗାଯାଇଛି । ପରିସର ଭିତରକୁ ଯିବା ପୂର୍ବରୁ ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ଭିତରେ ବାଚସ୍ପତ୍ତିଙ୍କ ପୋଡିୟମ ବ୍ୟବସ୍ଥାକୁ ହଟା ଯାଇଛି । ଅନ୍ୟ ଅଧିବେଶନ ଭଳି କେହି ବି ବାଚସ୍ପତ୍ତିଙ୍କ ପୋଡିୟମ ନିକଟକୁ ଯାଇ ହଟ୍ଟଗୋଳ କରିପାରିବେ ନାହିଁ । ଅନ୍ୟପଟେ ସଂସଦ ଢାଞ୍ଚାରେ ଅଧିବେଶନର ସମୟ ସୀମାକୁ କାଣ୍ଟଛାଣ୍ଟ କରାଯାଇଛି ।

ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକମାନଙ୍କୁ ବିଧାନସଭା ଅଧିବେସନରେ ଯୋଗ ଦେବାକୁ ବାରଣ କରାଯାଇଛି । ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେସନରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେପଟେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଧାରଣା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।