ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ ।  ପରମ୍ପରା ଅନୁସାରେ ବିଧାନସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୯ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଅଭିଭାଷଣ ପ୍ରଦାନ କରିବେ ।

ଓଡ଼ିଶା ବିଧାନସଭାରେ ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇ ମାସରେ ଆରମ୍ଭ ହୋଇଥାଏ । ତାହା ପୂର୍ବରୁ ବିଧାନସଭାର ବିଭିନ୍ନ କମିଟି ଓ ସବକମିଟିର ବୈଠକ ଜୁନ ମାସରେ ଆରମ୍ଭ ହୋଇଥାଏ । କିନ୍ତୁ ଏବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ଘୁଞ୍ଚାଇଦିଆଯାଇଥିଲା ।
କରୋନା ଯୋଗୁଁ ବିଧାନସଭାର ବଜେଟ ଅଧିବେଶନକୁ ମଧ୍ୟ କାଣ୍ଟଛାଣ୍ଟ କରିଦିଆଯାଇଥିଲା । ବଜେଟ ଅଧିବେଶନ ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିଲେ ମଧ୍ୟ ମାର୍ଚ୍ଚ ୧୩ରୁ ୨୯ ପର୍ଯ୍ୟନ୍ତ ତାହାକୁ ମୁଲତବୀ କରିଦିଆଯାଇଥିଲା । ପରେ ମାର୍ଚ୍ଚ ୩୦ରେ ଗୋଟିଏ ଦିନ ପାଇଁ ଅଧିବେଶନ ଅନୁଷ୍ଠିତ ହୋଇ ବାର୍ଷିକ ବଜେଟ ଗୃହୀତ କରାଯାଇଥିଲା ।

ସମ୍ବନ୍ଧିତ ଖବର