ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଏଥି ସହିତ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ଥିଲା। ଏଥିରେ ସରକାରୀ କାର୍ଯ୍ୟ ଦିବସ ୭ଟି ଏବଂ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା। ଚଳିତ ଥର ମୌସୁମୀ ଅଧିବେଶନରେ ମୋଟ୍ ୧୩ଟି ବିଲ ପାରିତ ହୋଇଛି।
ଆଜି ଗୃହରେ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ନେଇ ପୁଣି ଥରେ ଦାବୀ ଜୋର ଧରିଥିଲା। ୫୦ ପ୍ରତିଶତ ବଢ଼ାଇବା ଦାବି ହୋଇଥିଲା। ବିଧାନସଭାରେ ରାଜ୍ୟ ସରକାର ସଂକଳ୍ପ ଆଣିଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସକଳ୍ପ ଆଗତ କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଟିତୁଣ୍ଡ ଭିତରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ସଂକଳ୍ପଟିକୁ ରାଜ୍ୟ ଓବିସି କମିସନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ। ଆଉ କମିସନ ଏହି ପ୍ରସ୍ତାକୁ କେନ୍ଦ୍ର ସରକାରଙ୍କୁ ପଠେଇବେ। କିନ୍ତୁ ଏ ଆଲୋଚନା ବେଳେ ବିରୋଧୀ କଂଗ୍ରେସ ଓ ବିଜେପିର ବିଧାୟକମାନେ ଅନୁପସ୍ଥିତ ଥିଲେ।
ସେହିପରି ଆଜି ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପିତ କରିଥିଲେ। ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/4728cde4-7d0b-4cb9-9c9c-0c7027b28048.jpg)