ଭୁବନେଶ୍ୱର : ଚାଷୀଙ୍କୁ ଫସଲ ବୀମା ମିଳୁନି। ଶିକ୍ଷକ ରାଜରାସ୍ତାରେ ବସିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ହେଉନି। ବେରୋଜଗାରୀ ବଢ଼ୁଛି। ଉପାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳୁନି। ଏମିତି ଗଦା ଗଦା ପ୍ରସଙ୍ଗ ବିରୋଧୀଙ୍କ ହାତରେ। ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍ କରି ବର୍ଷିବ କଂଗ୍ରେସ। ରାଜ୍ୟ ସରକାରଙ୍କ ଦୋଷତ୍ରୁଟି କାଢ଼ି ବିଜେପି ଆକ୍ରମଣ କରିବ।
ଶାସକ ଦଳ ବି ସହଜରେ ଛାଡ଼ିବନି। ବନ୍ୟା ପାଇଁ ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରି ନିଜ ସପକ୍ଷରେ ହାଓ୍ଵା ସୃଷ୍ଟି କରିବ ବିଜେଡି। ଆଉ ତୈଳ ଦର ବୃଦ୍ଧି ଓ କେନ୍ଦ୍ରର ଅବହେଳାକୁ ଅସ୍ତ୍ର କରିବାକୁ ଦଳ ପୂରା ଦମ୍ରେ ପ୍ରସ୍ତୁତ।
ପ୍ରସଙ୍ଗର ପାହାଡ଼କୁ ନେଇ ୪ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମାତ୍ର ୧୧ଟି କାର୍ଯ୍ୟଦିବସ ଥିଲେ ବି ଅନେକ ଦୃଷ୍ଟିରୁ ଏହାର ଗୁରୁତ୍ୱ ରହିଛି। କମ୍ ସମୟ ମଧ୍ୟରେ ପ୍ରସଙ୍ଗଗୁଡ଼ିକୁ କିପରି ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ଅପର ପକ୍ଷକୁ ଘେରିବେ, ସେଥି ପାଇଁ ତିନି ରାଜନୈତିକ ଦଳ ଆସନ୍ତାକାଲି ବିଧାୟକ ଦଳ ବୈଠକ ଡାକିଛନ୍ତି। ବୈଠକରେ ହିଁ ରଣନୀତି ଚୂଡ଼ାନ୍ତ ହେବ। ବିଧାନସଭା ପରିସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱ ହେବାକୁ ଥିବା ବିଜେଡି ବିଧାୟକ ଦଳ ବୈଠକରେ ନିର୍ଦ୍ଦିଷ୍ଟ ରଣନୀତି ସମ୍ପର୍କରେ ବିଧାୟକମାନଙ୍କୁ ଜଣାଇଦିଆଯିବ। ବିରୋଧୀ ଦଳ ନେତା ନରସିଂହଙ୍କ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ବିଧାନସଭାରେ ବୈଠକ କରି ରଣନୀତି ଚୂଡ଼ାନ୍ତ କରିବେ। ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବି ଦଳୀୟ କାର୍ଯ୍ୟାଳୟରେ ଡକାଯାଇଛି।
ବିଭିନ୍ନ ଦୃଷ୍ଟିକୋଣରୁ ପୂର୍ବ ବର୍ଷଗୁଡ଼ିକର ମୌସୁମୀ ଅଧିବେଶନ ତୁଳନାରେ ଏଥର ଅଧିବେଶନ ଚର୍ଚ୍ଚାରେ ରହିବ। ସାଧାରଣତଃ ଶୀତ ଅଧିବେଶନ ସମୟରେ ଅତିରିକ୍ତ ବଜେଟ୍ ଆସୁଥିଲା ବେଳେ ଏଥର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସୁଛି। ଅତିରିକ୍ତ ବଜେଟ୍ର ଆକାର ପାଖାପାଖି ୧୨ହଜାର ୭୬୮ କୋଟି ଟଙ୍କା। ଆଗକୁ ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ୍ରେ କେଉଁ ବିଭାଗ ପାଇଁ କେତେ ଅଧିକ ଅର୍ଥ ବରାଦ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଏଥିରେ ଅର୍ଥବରାଦ ରହିବ। ପୁଣି ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ପାଇଁ ସଂକଳ୍ପ ମଧ୍ୟ ଏହି ଅଧିବେଶନରେ ପାରିତ ହେବ।
ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ଉତ୍ସାହିତ ଥିବା ରାଜ୍ୟ କଂଗ୍ରେସ ଏଥର ବିଧାନସଭାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରି ନିଜର ଦମ୍ଦାର୍ ଉପସ୍ଥିତି ଜାହିର କରିବାକୁ ପ୍ରସ୍ତୁତି ଚଳାଇଛି। କେନ୍ଦ୍ର ଓ ରାଜ୍ୟ ବିରୋଧରେ ପ୍ରସଙ୍ଗର ଅଭାବ ନାହିଁ। ତୈଳ ଦର ବୃଦ୍ଧ, ଧାନର ଏମ୍ଏସ୍ପି ଠାରୁ ଆରମ୍ଭ କରି ମହାନଦୀ, ପୋଲାଭରମ୍ ପର୍ଯ୍ୟନ୍ତ। ସବୁଥିରେ କେନ୍ଦ୍ର ଓ ରାଜ୍ୟର ଚରମ ଅବହେଳାକୁ କଂଗ୍ରେସ ଉଠାଇବ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଚାଷୀଙ୍କ ଅଭିଯୋଗ ହେଉଛି ସେମାନେ ଅର୍ଥ ଦେଇଛନ୍ତି ବୀମା ପାଇଁ। କିନ୍ତୁ ବୀମା ଅର୍ଥ ମିଳୁନି। ଲୋକାୟୁକ୍ତ ଆଇନ୍ ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସରକାର ଖାତିର କରୁ ନାହାନ୍ତି। ପଞ୍ଚାୟତରେ ପିସି ପରମାଣ ବଢ଼ିଯାଇଛି। ଶିକ୍ଷକ ଧାରଣା ଦେଇଛନ୍ତି। ଯୁବକଙ୍କ ପାଇଁ ଚାକରି ନାହିଁ। ପିଇବା ପାଣିର ସଙ୍କଟ ଦେଖାଦେଇଛି। ସବୁଥିରେ ସରକାର ଭାଷଣ ଦେଉଛନ୍ତି, କିନ୍ତୁ କାର୍ଯ୍ୟାନୁଷ୍ଠାନ ନାହିଁ। ପ୍ରସଙ୍ଗ ଅଧିକ ଥିଲେ ବି ସମୟକୁ ଆଖି ଆଗରେ ରଖି କେଉଁ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ, ତାହା ବିଚାର କରିବୁ।
ବିଜେପି ବି ପଛରେ ପଡ଼ିବନି। ଗୃହରେ ସଂଖ୍ୟା ଦୃଷ୍ଟିରୁ କମ୍ ଥିଲେ ବି ସୁଯୋଗକୁ ହାତଛଡ଼ା ନ କରି ପ୍ରଭାବୀ ଢଙ୍ଗରେ ସରକାରଙ୍କୁ ଘେରିବ ଦଳ। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବାର ଅଭିଯୋଗ ଆଣି ଦଳ ସରକାରଙ୍କୁ ଘେରିବ। ପୁଣି ଆୟୁଷ୍ମାନ ଯୋଜନା ପରି କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାର ରାଜନୀତି କରି ରାଜ୍ୟରେ ଲାଗୁ କରୁ ନ ଥିବାରୁ ଦଳ ଏହାକୁ ପ୍ରସଙ୍ଗ କରିବ। ବିଜେପି ବିଧାୟକ ରବି ନାଏକ କହିଛନ୍ତି, ଚାଷୀଙ୍କୁ ଫସଲ ବୀମା ନ ମିଳିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ସହ ଆଦିବାସୀ ଉନ୍ନୟନ ପରିଷଦ ଗଠନରେ ସରକାରଙ୍କ ମନମୁଖୀ କାରବାରକୁ ବି ବିଜେପି ବିରୋଧ କରିବ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନିୟମକୁ ଖୋଲା ଉଲ୍ଲଂଘନ କରାଯାଉଛି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଶିକ୍ଷକମାନଙ୍କ ଆନ୍ଦୋଳନ ଚାଲିଛି। ଏସବୁ ବିଷୟ ବିଧାନସଭାରେ ଉଠାଯିବ।
ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ ବି ପଛଘୁଞ୍ଚା ଦେବ ନାହିଁ। ତୈଳ ଦର ବୃଦ୍ଧି ଓ ବନ୍ୟା ଜଳ ଛାଡ଼ିବାରେ ଛତିଶଗଡ଼ର ମନମୁଖୀ କାରବାର ପରି ବଡ଼ ପ୍ରସଙ୍ଗ ଉଠାଇ ବିଜେପିକୁ ବ୍ୟାକ୍ ଫୁଟ୍କୁ ଠେଲିବ ବିଜେଡି। ବିଶେଷ କରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗୃହକୁ ସରଗରମ କରିବ ଦଳ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଗୃହରେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଆଲୋଚନା ପାଇଁ ଉଠାଇବେ, ସରକାର ତାହାକୁ ସ୍ୱାଗତ କରିବେ। ମହାନଦୀ, ପୋଲାଭରମ୍ ଓ ବିଭନ୍ନ କ୍ଷେତ୍ରରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଆମ ପାଖରେ ଅଛି। ବିଧାୟକ ଦଳ ବୈଠକରେ ଏହା ଚୂଡ଼ାନ୍ତ ହେବ।
ସେପ୍ଟେମ୍ବର ୨୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୧୧ଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୮, ୯, ୧୩, ୧୪, ୧୫ ଓ ୧୬ ତାରିଖରେ ଛୁଟି ରହିଛି। ଏହି ଅଧିବେଶନରେ ମୋଟ ଦୁଇଟି (ସେପ୍ଟେମ୍ବର ୭ ଓ ୨୦) ବେସରକାରୀ କାର୍ଯ୍ୟ ଦିବସ ରହିଛି।
ବଜେଟ୍ ଘୁଞ୍ଚିପାରେ
ଭୁବନେଶ୍ୱର : ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ ୪ ତାରିଖରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅତିରିକ୍ତ ବଜେଟ୍ ଉପସ୍ଥାପନ ନ ହୋଇପାରେ। ୪ ତାରିଖରେ ଅଧିବେଶନ ଆରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜଣାଯିବ। ତାହା ପରେ ଗୃହକୁ ମୁଲତବୀ ରଖାଯିବାକୁ ବିଚାର ବିମର୍ଷ ଚାଲିଛି। ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡକାଯାଇଛି। ଯଦି ୪ ତାରିଖରେ ଗୃହ ମୁଲତବୀ ରହେ, ତେବେ ୫ ତାରିଖରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।