ଭୁବନେଶ୍ବର: ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବୀ କରାଯିବ।
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ୍ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି, ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି।
ସେହିପରି କଂଗ୍ରେସ ନାରୀ ନିର୍ଯାତନା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି। ଦେଢ଼ ବର୍ଷର ମୋହନ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ଦର୍ଶାଇ ଗୃହରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି। ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ।
ଶାସକ ବିଜେପିର ବିଧାୟକ ଦଳ ବୈଠକରେ ରଣନୀତି ଚୁଡାନ୍ତ ହେବ। ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି।
ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି।