ବିରୋଧୀଙ୍କ ଅନୁପସ୍ଥିତିରେ ରିପୋର୍ଟ ଉପସ୍ଥାପନ
ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ବେଳେ ରହିଲେନି ବିରୋଧୀ
ଏମ୍ଏସ୍ପି ବୃଦ୍ଧି, ସାର ଦାବିରେ ବିଜେଡିର ଧାରଣା
ଭୁବନେଶ୍ବର : ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ବୁଧବାର ପରି ଗୁରୁବାର ବି ଗୃହରେ ଦିନସାରା ଅଚଳାବସ୍ଥା ଜାରି ରହିଥିଲା। ବିଜେପିର ଖଣି ଦୁର୍ନୀତି ସଂକ୍ରାନ୍ତୀୟ ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଆଦୌ ହୋଇପାରି ନ ଥିଲା। ଦ୍ବିତୀୟାର୍ଦ୍ଧରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଭିତରେ ୧୨ଟି ରିପୋର୍ଟ ଓ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ବିରୋଧୀଙ୍କ ଅନୁପସ୍ଥିତିରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା।
ଗୁୁରୁବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଖଣି ଦୁର୍ନୀତି ଆଲୋଚନାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାକୁ ଉଦ୍ୟମ କଲା ବେଳେ ବିରୋଧୀ ସଭ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ମାତ୍ର ୨ ମିନିଟ୍ ପରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ଅବସ୍ଥା ସୃଷ୍ଟି ହେବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ।
ଏହି ସମୟରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଚାଷ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2021/09/BJD-Dharana-at-Gandhi-statue-in-Assembly-6.jpg)
ସ୍ବାମୀନାଥନ୍ କମିଟି ସୁପାରିସ୍ ଅନୁଯାୟୀ ଏମ୍ଏସ୍ପି ବୃଦ୍ଧି ଓ ଓଡ଼ିଶାକୁ ଚାହିଦା ଅନୁଯାୟୀ ସାର ଯୋଗାଇବାକୁ ଦାବି କରି ସେମାନେ ବ୍ୟାନର୍ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ କେନ୍ଦ୍ର ବିରୋଧରେ ବିଧାୟକମାନେ ବିଷୋଦ୍ଗାର କରିଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଏହି ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ବାଚସ୍ପତି ବିରୋଧୀଙ୍କ ଦାବି ନ ଶୁଣି ଗୃହ ଚଳାଇ ରଖିଥିବାରୁ ଏହାର ପ୍ରତିବାଦରେ ଉଭୟ ଦଳର ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଓବିସି ସଂରକ୍ଷଣ ସଂକ୍ରାନ୍ତରେ ଏକ ସଂକଳ୍ପ ଆଗତ କରିଥିଲେ। ଶାସକ ଦଳ ସଭ୍ୟମାନେ ଏହି ଆଲୋଚନାରେ ଭାଗ ନେଲା ପରେ ସଂକଳ୍ପ ପାରିତ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ତାହା ପରେ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନ ମୋଟ୍ ୮ ଦିନ ଚାଲିଥିଲା। ଏଥିରେ ୭୧୮ଟି ତାରକା ଓ ୧୨୬୭ଟି ଅଣତାରକା ପ୍ରଶ୍ନ ତାଲିକାଭୁକ୍ତ ହୋଇଥିଲା। ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଓ ୬୧ଟି କାଗଜ ଉପସ୍ଥାପନ ହୋଇଥିଲା। ୧୩ଟି ବିଲ୍ ପାରିତ ହୋଇଥିଲା। ପୌର ଓ ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ ପରି ଗୁରୁତ୍ବପୂର୍ଣ୍ଣ ବିଲ୍ ଏହି ଅଧିବେଶନରେ ପାରିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/t-304-1.jpg)