ଭୁବନେଶ୍ବର: ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି। ଆଜି ସୁଦ୍ଧା କର୍ଣ୍ଣାଟକ, ରୟାଲସୀମା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଆଜି ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ୪ରୁ ୫ ଦିନ ଅର୍ଥାତ୍‌ ଜୁନ୍‌ ୮ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପାଇଁ ପାଗ ଅନୁକୂଳ
ସାରା ରାଜ୍ୟରେ କାଳବୈଶାଖୀ ବର୍ଷା, କମିଲା ତାପମାତ୍ରା

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ମଧ୍ୟରେ ସମସ୍ତ ଜିଲ୍ଲାରେ ଅଳ୍ପ ବହୁତେ ବର୍ଷା ହୋଇଥିବାରୁ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦିନତମାମ ପାଗ କୋହଲା ରହିବା ସହ ମାତ୍ର ୩ଟି ସହରରେ ଦିନର ପାରଦ ୪୦ ଡିଗ୍ରିରୁ ଅଧିକ ରହିଥିଲା। କଟକ ଜିଲ୍ଲାର ମ‌ାହାଙ୍ଗାଠାରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ କଟକ ଜିଲ୍ଲାର କଣ୍ଟାପଡ଼ାରେ ୧୨୫ ମିମି, କଟକ ସହରରେ ୯୧ ମିମି, ଜଗତସିଂହପୁରର କୁଜଙ୍ଗରେ ୧୨୨ ମିମି, ତି‌ର୍ତ୍ତୋଲରେ ୯୮ ମିମି, ଆଳିପିଙ୍ଗଳରେ ୮୫.୬ ମିମି, ବିରିଡ଼ରେ ୭୪.୨ ମିମି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ୧୨୧ ମିମି, ଗରଦପୁରରେ ୮୭ ମିମି, ଡେରାବିସ୍‌ରେ ୮୨ ମିମି, କେନ୍ଦ୍ରାପଡ଼ାରେ ୮୧ ମିମି ବର୍ଷା ରେକର୍ଡ ହୋଇଛି। ତାଳଚେରରେ ୬୭, ଜଗତ୍‌ସିଂହପୁରରେ ୬୫.୪, ଭୁବନେଶ୍ବରରେ ୬୩.୧, ପାରଳାଖେମୁଣ୍ଡିରେ ୬୧, ଭଦ୍ରକରେ ୫୬.୨, ପୁରୀରେ ୪୩.୬, ହୀରାକୁଦରେ ୩୮.୪, ଅନୁଗୁଳରେ ୩୭ ମିମି ବର୍ଷା ‌ରେକର୍ଡ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଲୋକଙ୍କ ଘରଦ୍ବାର କ୍ଷତି ହୋଇଥିବା ଜଣାପଡ଼ିଛି।

ଆଜି ଦିନ ସମୟରେ ନୂଆପଡ଼ାରେ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ୪୧.୬ ଡିଗ୍ରି, ଟିଟିଲାଗଡ଼ରେ ୪୧, ବଲାଙ୍ଗୀରରେ ୪୦.୪, ବରଗଡ଼ରେ ୩୯.୫, ସୋନପୁରରେ ୩୯.୨, ବୌଦ୍ଧରେ ୩୯.୧, ଖୋର୍ଦ୍ଧାରେ ୩୯ ଡିଗ୍ରି ରହିଥିଲା। ପୁରୀ ଓ ପାରାଦୀପ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ତଳେ ରହିଥିବା ଦେଖିବାକୁ ମିଳିଛି। ମଙ୍ଗଳବାରଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ୪ ଓ ୫ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ। ୪ରୁ ୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।