ଭୁବନେଶ୍ୱର: ଆଜି ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ଆଜି ଅପସରି ଯାଇଛି ମୌସୁମୀ। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଅଂଶରୁ ବି ମୌସୁମୀ ବିଦାୟ ନେଇଛି।

Advertisment

ଆସନ୍ତା ୪୮ ଘଣ୍ଟା‌‌‌‌‌ରେ ଓଡ଼ିଶା ସମେତ ଭାରତରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ। ଏବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଟ୍ରଫ୍ ଲାଇନ୍‌ ପଶ୍ଚିମବଙ୍ଗର କୋଚ୍ ବେହାର, ଶ୍ରୀନିକେତନ, କେନ୍ଦୁଝର, ନବରଙ୍ଗପୁର, ନାସିକ୍ ହୋଇ ଗତି କରୁଛି। ଫଳରେ ୨୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ଦେଶରୁ ଅପସାରିତ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ନଭେମ୍ବର ପହିଲାରୁ ପୁଣି ବର୍ଷା
ଭୁବନେଶ୍ୱର : ନଭେମ୍ବର ପହିଲାରୁ ରାଜ୍ୟରେ ପୁଣି ବର୍ଷା ହେବ। ବିଶେଷକରି ଉପକୂଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି। ଆସନ୍ତା ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟରେ ୧ରୁ ୩ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ହେବା ସହ ପାଗ ମେଘୁଆ ରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପ୍ରଶାନ୍ତ ମହାସାଗରରେ ରହିଥିବା ୨ ଟି ବାତ୍ୟା ମଧ୍ୟରୁ ଗୋଟିଏ ସମୁଦ୍ର ଭିତରେ ଦୁର୍ବଳ ହୋଇ ଏବେ ଭିଏତନାମରେ ପହଞ୍ଚିଛି। ଆଉ ଏକ ବାତ୍ୟା ଫିଲିପାଇନସ୍‌ରେ ବ୍ୟାପକ କ୍ଷୟକ୍ଷତି କରି ଏବେ ଅଧିକ ଘନୀଭୂତ ହୋଇ ଭିଏତନାମର ଦା ନାଙ୍ଗ ଆଡ଼କୁ ଗତି କରୁଛି। ଏହାର ଅବଶିଷ୍ଟ ଅଂଶ ଆସନ୍ତା ୩୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି କରାଇବ। ଏହା ପରେ ଏହା ଉତ୍ତର-ପଶ୍ଚିମକୁ ଗତି କରି ଉତ୍ତର ବଙ୍ଗୋପସାଗରରେ ବାଂଲାଦେଶ ଉପକୂଳ ସ୍ପର୍ଶ କରିବ। ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିବ। ଏଣୁ ୧ ରୁ ୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ କହିଛନ୍ତି।