୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ!

ଭୁବନେଶ୍ୱର : ଦିନ ଗଡ଼ୁଛି। ହେଲେ ମୌସୁମୀର ଦେଖା ନାହିଁ। ପ୍ରଥମେ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା। ଏହାପରେ ଜୁନ୍‌ ୬ ବୋଲି କହିଥିଲା ଭାରତୀୟ ପାଣିପାଗ ବିଭାଗ। ଏପରିକି ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳରେ ସକ୍ରିୟ ହେବ ବୋଲି ଗତକାଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। ଆଜି ମଧ୍ୟ ବିଭାଗ ସମାନ ଆକଳନ କରିଛି।

କହିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ। ଅର୍ଥାତ୍‌ ଜୁନ୍‌ ୮ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଭାରତ ଭୂଖଣ୍ଡରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି। ଆହୁରି କୁହାଯାଇଛି ଯେ ୨ରୁ ୩ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବ। ସେଠାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ କେରଳ ଓ ଏହାର ନିକଟବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷା ହେବ।

ଅନ୍ୟପକ୍ଷରେ କେରଳରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଓଡ଼ିଶା ଉପରେ ବି ତାହାର ପ୍ରଭାବ ପଡ଼ିଛି। ନିର୍ଦ୍ଧାରିତ ସମୟ ଜୁନ୍ ୧୦ ବଦଳରେ ଜୁନ୍‌ ତୃତୀୟ ସପ୍ତାହରେ ଏଥର ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେ‌ବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗିରହିବ। ୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବାରୁ ଆଜି ବହୁ ସ୍ଥାନରେ ତାପମାତ୍ରା କମିଛି। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆଜି କେବଳ ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରହିଥିବା ବେଳେ ହୀରାକୁଦରେ ୪୨.୧, ସୋନପୁରରେ ୪୨, ଝାରସୁଗୁଡ଼ାରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ତାପମାତ୍ରା ୩୪.୬ ଏବଂ ୩୫ ଡିଗ୍ରି ରହିଥିଲା। ଗତକାଲି ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର