ଭୁବନେଶ୍ବର: ପାଖାପାଖି ୨ ସପ୍ତାହ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ଓଡ଼ିଶା ଛୁଇଁଥିଲା। ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶା ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିବା ନେଇ ପାଣିପାଗ ଅନୁକୂଳ ହୋଇଛି। ଏଥିସହ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ଏବଂ ପଶ୍ଚିମବଙ୍ଗ, ସିକିମ୍‌, ଓଡ଼ିଶା ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରୁ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଫେରିଯିବ। ଏଥିସହ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। 

Advertisment

ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଏକ ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି କୋରାପୁଟର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି ଓ ରାୟଗଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୩ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୧୪ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।