ଆଜି କେରଳ ଛୁଇଁବ ମୌସୁମୀ, ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

୯ ଯାଏ ଲାଗିରହିବ ବର୍ଷା, ୧୦ରୁ ପୁଣି ବଢ଼ିବ ତାତି

ଭୁବନେଶ୍ବର : ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍‌ ପହିଲା(ଗୋଟିଏ ଦୁଇଟି ଦିନ ଏପାଖସେପାଖ)ରେ କେରଳ ଛୁଉଁଥିବା ମୌସୁମୀ ଏଥର ୮ ଦିନ ବିଳମ୍ବରେ ଭାରତ ଭୂଖଣ୍ଡରେ ପ୍ରବେଶ କରିବ। ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ୯ ଓ ୧୦ ତାରିଖ ପାଇଁ କେରଳରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ଆହୁରି ପୂର୍ବାନୁମାନ କରିଛି ଯେ ଜୁନ୍‌ ୯ ବେଳକୁ କେରଳ ଓ କର୍ଣ୍ଣାଟକ ଉପକୂଳ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ମୌସୁମୀକୁ ଅଧିକ ସକ୍ରିୟ କ‌ରିବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ। ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ। ଉପକୂଳରେ ଘଣ୍ଟାପ୍ରତି ୩୫ରୁ ୪୦ କିମି ବେଗରେ ପବନ ବହିପାରେ। ତେବେ ପଶ୍ଚିମ ଭାରତରେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୦ ତାରିଖ ଯାଏ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଦର୍ଭରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଓଡ଼ିଶାରେ ମୌସୁମୀ ପ୍ରବେଶ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ୮ ତାରିଖ ବେଳକୁ ଘୂର୍ଣ୍ଣବଳୟ ସୃଷ୍ଟି ହେଉଥିବାରୁ ତାହା ମୌସୁମୀକୁ ସକ୍ରିୟ ‌କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରୁଥିଲା। ଏପରିକି ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକମାନେ କହିଥିଲେ। ତେବେ ସେମିତି କିଛି ହେଲା ପରି ଲାଗୁ ନାହିଁ। ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ସିନା ଆକାଶ ମେଘାଚ୍ଛନ୍ନ ରହୁଛି। ‌ତେବେ ଦୁଇ ଦିନ ପରେ ପୁଣିଥରେ ପୂର୍ବସ୍ଥିତି ଫେରିବ। ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣିଥରେ ୪୫ ଡିଗ୍ରି ଡେଇଁବ। ଉପକୂଳରେ ବି ପାରଦ ୪୦ ଡିଗ୍ରି ଟପିପାରେ।

ସେପଟେ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଚାଷୀମାନେ ଯେଉଁ ଆଶା ରଖିଥିଲେ ତାହା ଏବେ ଫସର ଫାଟିବାକୁ ଯାଉଛି। ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ଦେଖାଯାଉ ନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଗୋଟିଏ ସପ୍ତାହ ବିଳମ୍ବରେ କେରଳରେ ମୌସୁମୀ ପହଞ୍ଚିବ। ପ୍ରଭାବରେ ପ୍ରବଳ ବର୍ଷା ହେବ। ଏହାପରେ ପଶ୍ଚିମ ଉପକୂଳ ଆଡ଼କୁ ଅଗ୍ରସର ହେବ। ପୂର୍ବ ଉପକୂଳ ବହୁତ ପଛରେ ରହିବ। ଦକ୍ଷିଣ ପଶ୍ଚିମ ମୌସୁମୀର ଆରବିଆନ୍‌ ଶାଖା ସକ୍ରିୟ ହେବ। ପଶ୍ଚିମ ଉପକୂଳ ଦେଇ ଉତ୍ତର ଆଡ଼କୁ ଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଗୁଜୁରାଟ ଛୁଇଁବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି, ୮ ତାରିଖରେ ଓଡ଼ିଶାର ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଆଖପାଖ ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହେବ। ଏହାପରେ କୋହଲା ପାଗର ଦେଖା ମିଳିବନି। ରଜରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ୧୩ ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଟପିପାରେ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୬ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ହେବ। ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ୨୨ ତାରିଖ ବେଳକୁ ଓଡ଼ିଶାରେ‌ ମୌସୁମୀ ପ୍ରବେଶ କରିବ।
ଅନ୍ୟପକ୍ଷରେ ଘୂର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗିରହିଛି। ଫଳରେ ସବୁଠି ତାପମାତ୍ରା‌ କମିଛି। ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗିରହିଛି। କେବଳ ସୋନପୁରରେ ଆଜି ତାପମାତ୍ରା ୪୧ ଡିଗ୍ରି ରହିଥିଲା। ଅନ୍ୟ ସବୁଠି ପାରଦ ୪୦ ଡିଗ୍ରି ତଳକୁ ଖସିଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ପା‌ରାଦୀପ, ଝାରସୁଗୁଡ଼ା, ହୀରାକୁଦ, ତା‌ଳଚେର, ଭବାନୀପାଟଣା, ମାଲକାନଗିରିରେ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର