ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ : ସମୟ ଆଗରୁ କେରଳ ଆସିବ, ୪ ମାସ ପରେ ଫେରିବ

ଭୁବନେଶ୍ବର : ଏଥର ନିର୍ଧାରିତ ସମୟରେ ଆସିବ ମୌସୁମୀ। ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ସଂସ୍ଥା ଆକଳନ କରିଛି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦ ବେଳକୁ ମୌସୁମୀ ଆଣ୍ଡାମାନ ଓ ନିକୋବରକୁ ସ୍ପର୍ଶ କରିବ। ଏହାର ୧୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧ ବେଳକୁ କେରଳ ଛୁଇଁବ। ଦେଶରେ ପ୍ରାୟ ୪ ମାସ ଧରି ମୌସୁମୀ ରହିବ। ପ୍ରଥମ ପର୍ଯ୍ୟାୟରେ କୋଚି, ଥିରୁଅନନ୍ତପୁରମ୍, ଚେନ୍ନାଇ ସମେତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳ ଛୁଇଁବ। ଏହି ସମୟରେ ଉତ୍ତରପୂର୍ବ ଭାରତର ମଣିପୁର, ମିଜୋରାମ ଓ ତ୍ରିପୁରାକୁ ବି ସ୍ପର୍ଶ କରିବ।

ଏହାପରେ ଜୁନ୍ ୫ ବେଳକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପ୍ରବେଶ କରିବା ସହିତ ଓଡ଼ିଶା ଆଡ଼କୁ ଅଗ୍ରସର ହେବ। ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ ସ୍କାଏମେଟ୍। ଓଡ଼ିଶା ସମେତ ମୁମ୍ବାଇ, କୋଲକାତା, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ମୌସୁମୀ ପ୍ରବେଶ କରିବ। ଜୁଲାଇ ୧ ବେଳକୁ ସାରା ଦେଶକୁ ମୌସୁମୀ ଛୁଇଁ ଯାଇଥିବ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶା ବ୍ୟତୀତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ୪ ଦିନ ଅପେକ୍ଷା ଆଜି ଅଧିକାଂଶ ସହରରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ରହୁଥିବା ଟିଟିଲାଗଡ଼ ତାପମାତ୍ରା ୪୩.୫ ଡିଗ୍ରିକୁ କମିଛି। ତେବେ କୋରାପୁଟ ତାପମାତ୍ରା ବହୁ ପରିମାଣରେ କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କାଳବୈଶାଖୀ ପ୍ରଭାବରେ ୫୪.୪ ମିମି ବର୍ଷା ହେବା ଯୋଗୁଁ ଦିନର ସର୍ବୋଚ୍ଚ ତାପମାତ୍ରା ୩୪.୬ ଡିଗ୍ରିକୁ ଖସି ଆସିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଉତ୍ତର ସମେତ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା ଓ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ଅନୂଭୂତ ହେବ। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର