ଭୁବନେଶ୍ବର : ଓଡ଼ିଶାକୁ କେବେ ଆସିବା ମୌସୁମୀ ? ଦୁଇଦିନ ତଳେ ଆଞ୍ଚଳିକ ପାଣିପାଗ ବିଭାଗ କହିଥିଲା ଯେ ଜୁନ ୧୫ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଆସିବ । କିନ୍ତୁ ଆଜି( ମଙ୍ଗଳବାର) ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨-୩ଦିନରେ ଓଡ଼ିଶାକୁ ମୌସୁମୀ ଛୁଇଁବ ।
ପାଣିପାଗ ବିଭାଗର ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ସୀମା ଏବେ ଜଲଗାଁଓ, ବିଦର, ତିରୁପତି ଓ ପୁଡୁଚେରୀ ଉପରେ ରହିଛି । ଆସନ୍ତା ୨-୩ ଦିନରେ ଏହା ଗୁଜୁରାଟର ଆଉ କିଛି ଅଂଶ, ମଧ୍ୟପ୍ରଦେଶର କିଛି ଅଂଶ, ମଧ୍ୟ ମହାରାଷ୍ଟ୍ରର ସଂପୂର୍ଣ୍ଣ ଅଂଚଳ, ମରାଠଓ୍ବାଡ଼ା, ତାମିଲନାଡୁ ଓ କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶ, ଓଡ଼ିଶାର କିଛି ଅଂଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ଦକ୍ଷିଣ, ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର ମୋଟ ୨୦ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।
ସେହିପରି ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/RAIN-1.jpg)