ଆସନ୍ତା ୨-୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ : ପାଣିପାଗ ବିଭାଗ

ଭୁବନେଶ୍ବର : ଓଡ଼ିଶାକୁ କେବେ ଆସିବା ମୌସୁମୀ ? ଦୁଇଦିନ ତଳେ ଆଞ୍ଚଳିକ ପାଣିପାଗ ବିଭାଗ କହିଥିଲା ଯେ ଜୁନ ୧୫ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଆସିବ ।  କିନ୍ତୁ ଆଜି( ମଙ୍ଗଳବାର) ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨-୩ଦିନରେ ଓଡ଼ିଶାକୁ ମୌସୁମୀ ଛୁଇଁବ ।

ପାଣିପାଗ ବିଭାଗର ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ସୀମା ଏବେ ଜଲଗାଁଓ, ବିଦର, ତିରୁପତି ଓ ପୁଡୁଚେରୀ ଉପରେ ରହିଛି । ଆସନ୍ତା ୨-୩ ଦିନରେ ଏହା ଗୁଜୁରାଟର ଆଉ କିଛି ଅଂଶ, ମଧ୍ୟପ୍ରଦେଶର କିଛି ଅଂଶ, ମଧ୍ୟ ମହାରାଷ୍ଟ୍ରର ସଂପୂର୍ଣ୍ଣ ଅଂଚଳ, ମରାଠଓ୍ବାଡ଼ା, ତାମିଲନାଡୁ ଓ କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶ, ଓଡ଼ିଶାର କିଛି ଅଂଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ଦକ୍ଷିଣ, ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର ମୋଟ ୨୦ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।

ସେହିପରି ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ ।

 

 

 

 

ସମ୍ବନ୍ଧିତ ଖବର