୬ ଜିଲ୍ଲାକୁ ଛାଡ଼ି ଓଡ଼ିଶାର ବାକି ଅଞ୍ଚଳକୁ ସ୍ପର୍ଶ କଲା ମୌସୁମୀ
ଭୁବନେଶ୍ବର : ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା ପରେ ଗତକାଲି ଦକ୍ଷିଣ ଓଡ଼ିଶା ଓ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନକୁ ଛାଡ଼ିଦେଲେ ଆଜି ସାରା ଓଡ଼ିଶାରେ ମୌସୁମୀ ବର୍ଷା ହୋଇଛି। ଅନୁକୂଳ ପରିସ୍ଥିତି ଯୋଗୁଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବାକି ସ୍ଥାନରେ ମୌସୁମୀ ସକ୍ରିୟ ହୋଇଯିବ ଏବଂ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚରେ ବିସ୍ତୃତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ରହିଛି। ଏହା ପ୍ରଭାବରେ ମୌସୁମୀ ବାୟୁ ପ୍ରର୍ଯ୍ୟାୟକ୍ରମେ ଓଡ଼ିଶାରେ ସକ୍ରିୟ ହେବାରେ ଲାଗିଛି। ଫଳରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବ। କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାକି ସ୍ଥାନରେ ପ୍ରବଳ ବର୍ଷିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ୬୫ ମିମି ବର୍ଷା ହୋଇଛି। ଆସନ୍ତାକାଲି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ ଓ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଥମ ରଜ ଦିନ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହେବ ଓ ବାକି ରଜ ଦୁଇ ଦିନ ପାଗ ଶୁଖିଲା ରହିବ। ଆସନ୍ତା ୧୭ ତାରିଖ ଆଡ଼କୁ ସାରା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।