ଆଣ୍ଡାମାନ ଛୁଇଁଲା ମୌସୁମୀ

ଭୁବନେଶ୍ବର : ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭାରତୀୟ ତଥା ଚାଷୀକୂଳ ପାଇଁ ଖୁସି ଖବର। ଗରମରୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି। କାରଣ ଏଥର ସଅଳ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନ, ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଥିବା କୁହାଯାଇଛି। ଫଳରେ କେରଳରେ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ ସକ୍ରିୟ ହୋଇଯିବା ନେଇ ଶୁଭସଙ୍କେତ ମିଳୁଛି।

ବାୟୁମଣ୍ଡଳର ନିମ୍ନଭାଗରେ ଦକ୍ଷିଣ-ପଶ୍ଚିମ ବାୟୁ ସକ୍ରିୟ ହୋଇଥିବାରୁ ଏହା ମେଘ ସୃଷ୍ଟି ଓ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ସେହିପରି ବଙ୍ଗୋପସାଗରରେ ଅନ୍ୟ ପ୍ରାନ୍ତକୁ ମୌସୁମୀ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଣ୍ଡାମାନ ସାଗରର ପୂର୍ବ-କେନ୍ଦ୍ରୀୟ ଅଞ୍ଚଳକୁ ମୌସୁମୀ ସଂପ୍ରସାରିତ ହେବ ବୋଲି ଜଣାପଡ଼ିଛି। ତେବେ କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳରେ ପହଞ୍ଚିଥାଏ। ହେଲେ ଚଳିତ ବର୍ଷା ମୌସୁମୀ ଆଗୁଆ ଆସିଥିବାରୁ ଶୀଘ୍ର ପହଞ୍ଚିବା ନେଇ ଆକଳନ କରାଯାଛି। ତେବେ ଏଥର ବାତ୍ୟା ‘ଅସାନି’ ମୌସୁମୀକୁ ଆଗୁଆ ବାଟ କଢ଼ାଇ ଥିବା ଜଣାପଡ଼ିଛି।

ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ପ୍ରଚଣ୍ଡ ସୌରତାପ ଜାରି ରହିଛି। ସୋମବାର ଦିନ ରାଜ୍ୟର ପ୍ରାୟ ୧୦ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ‌ବେଳେ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୨.୮ ଡିଗ୍ରି ଦିନ ତାପମାତ୍ରା ରେକର୍ଡ କରିଛି। ଏଥିସହ ସୋନପୁର ଓ ବୌଦ୍ଧ (୪୨.୫ ଡିଗ୍ରି), ଟିଟିଲାଗଡ଼ ଓ ବରଗଡ଼(୪୨.୪ ଡିଗ୍ରି) ଆଦି ସମସ୍ତ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତାତି ଅଧିକ ରହିବା ସହ ଅସହ୍ୟ ଗରମ ମଧ୍ୟ ଜାରି ରହିବ। ତେବେ ଅପରାହ୍ନ ଆଡ଼କୁ କାଳବୈଶାଖୀ ବର୍ଷା କିଛି କିଛି ସ୍ଥାନକୁ ଆଶ୍ବସ୍ତ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ନୂଆପଡ଼ା, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଏବେ ଉପକୂଳ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ରହିଛି। ଆଜି ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରି ରହିଥିବା ବେଳେ କଟକର ଦିନ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର