କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ବର : ଦୁଇ ଦିନ ବିଳମ୍ବରେ ଅର୍ଥାତ୍‌ ଗୁରୁବାର (ଜୁନ୍‌ ୩ ତାରିଖ) କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଆରବସାଗର, ଲକ୍ଷାଦ୍ବୀପ ଅଞ୍ଚଳ, ଦକ୍ଷିଣ କେରଳ ଓ ଦକ୍ଷିଣ ତାମିଲନାଡ଼ୁ ଆଦି ଅଞ୍ଚଳରେ ସକ୍ରିୟ ହୋଇଛି। ଫଳରେ କେରଳ ଓ ତାମିଲନାଡୁର ଅଧିକାଂଶ ସ୍ଥାନରେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ଆଗକୁ କେରଳର ଅନ୍ୟ ସବୁ ଅଂଶରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ସ୍ବାଭାବିକ ଭାବେ ମୌସୁମୀ କେରଳକୁ ‌ଜୁନ୍‌ ୧ତାରିଖକୁ ସ୍ପର୍ଶ କରିଥାଏ। କିନ୍ତୁ ଚଳିତବର୍ଷ ଏହାର ଆଗମନ ଦୁଇଦିନ ବିଳମ୍ବ ହୋଇଥିବା ଆଇଏମ୍‌ଡି ଉଲ୍ଲେଖ କରିଛି।

କେରଳ ଛୁଇଁବାର ପ୍ରାୟ ୧୦ଦିନ ପରେ ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିଥାଏ। ଏଣୁ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଏବେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଅନ୍ୟପଟେ ଚଳିତ ମୌସୁମୀରେ ଦେଶରେ ସ୍ବାଭାବିକ ବର୍ଷା ଓ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏବେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର