ଆସିଲା ମୌସୁମୀ, ୪୮ ଘଣ୍ଟାରେ ପୂରା ରାଜ୍ୟରେ ସକ୍ରିୟ ହେବ

ଆଜି ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର : ଓଡ଼ିଶାକୁ ମୌସୁମୀ ପ୍ରବେଶ ନେଇ ପାଣିପାଗ ବିଭାଗର ଆକଳନ ଏଥର ଶତପ୍ରତିଶତ ଠିକ୍‌ ହୋଇଛି। ଜୁନ୍‌ ୧୦ ଅର୍ଥାତ୍‌ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହା ପ୍ରଭାବରେ ଆଜି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲା‌ରେ ବର୍ଷା ହୋଇଛି। ସେହିପରି ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବି ମୌସୁମୀ ସକ୍ରିୟ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାକି ଓଡ଼ିଶା‌ରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ।

ପ୍ରବଳ ବର୍ଷା ଆଶଙ୍କାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆର୍‌ସି) ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶୁକ୍ରବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ତେଣୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ତଥା ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦି‌ଆଯାଇଛି।

ଅନ୍ୟପକ୍ଷରେ ଗତକାଲି ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟିର ୨୪ ଘଣ୍ଟା ଭିତରେ ଏହା ଆହୁରି ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ ଓ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଓଡ଼ିଶା ଅତିକ୍ରମ କରିବ। ଏହା ପ୍ରଭାବରେ ଓଡ଼ିଶା‌ରେ ଆସନ୍ତା ୧୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ଅଧିକ ରହିବ।

ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଆସନ୍ତାକାଲି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୨ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ‌ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଖୋର୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୩ ଓ ୧୪ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ କିଛି କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ସହ କଚ୍ଚା ଓ ମାଟି ଘର ଭାଙ୍ଗିଯିବା, ଭୂସ୍ଖଳନ, ଫସଲ ଓ ପନିପରିବା ଚାଷ ଆଦି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏଣୁ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ସମୟରେ ପବନର ବେ‌ଗ ୪୦ରୁ ୫୦କିମି ରହିବ ଓ ମଝିରେ ମଝିରେ ୬୦ କିମିର ପବନର ଝଟ୍‌କା ଅନୁଭୂତ ହେବ। ଏଣୁ ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର